ମାଲକାନଗିରି : ମାଲକାନଗିରିରେ ବର୍ଷା ବିତ୍ପାତ । କାଙ୍ଗୁରକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ଚାଲିଛି ପାଣି । ୨ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ମୋଟୁ ଓ ପଡ଼ିଆକୁ ଯାତାୟାତ ଠପ ହୋଇ ଯାଇଛି । ୩୨୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଛି । ପୋଲୋର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । କନ୍ୟାଶ୍ରମ ବ୍ରିଜ ଉପରେପାଣି ଚାଲୁଥିବାରୁ କାଲିମେଳାରୁ ପଡିଆକୁ ଯାତାୟତ ବନ୍ଦ ରହିଛି। ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି । ଗତକାଲି ଅପରାହ୍ଣରୁ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା ।
ଅନ୍ୟପଟେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବା ୫ ଜିଲ୍ଲା ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମକୁ ରହିଛି ୟେଲୋ ଆଲର୍ଟ । ଲଘୁଚାପ ପ୍ରଭାବ ଯୋଗୁଁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାରେ ଲାଗିରହିବ ବର୍ଷା ।