ଲଗାଣ ବର୍ଷାରେ ଢେଙ୍କାନାଳ ସହରରେ କୃତ୍ରିମ ବନ୍ୟା ସ୍ଥିତି, ସାଲେପୁରରେ ଘରେ ଘରେ ବର୍ଷା ପାଣି

ଢେଙ୍କାନାଳ/ସାଲେପୁର(କେନ୍ୟୁଜ): ଲଗାଣ ବର୍ଷାରେ ଢେଙ୍କାନାଳ ସହରରେ କୃତ୍ରିମ ବନ୍ୟା ସ୍ଥିତି। ସହରର ଟାଉନ ପ୍ଲାନିଂ ଓ ଦକ୍ଷିଣକାଳୀ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ପାଣି ଜମି ରହିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରିଗର ସାହିର ପେଟ୍ରୋଲ ପମ୍ପ୍‌ ନିକଟ ଅଞ୍ଚଳ ଓ କାଞ୍ଚନ ବଜାରର ଦଣ୍ଡା ସାହିରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଜମି ରହିଛି। ସହରରେ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଇଛି।
ଲଗାଣ ବର୍ଷାରେ ବେହାଲ ସାଲେପୁର। କଟକ ଚାନ୍ଦବାଲି ମୁଖ୍ୟ ରାସ୍ତାର ପେଟ୍ରୋଲ ଟାଙ୍କିଠାରୁ ବି.କେ ଟକିଜ୍‌ ଯାଏ ବର୍ଷା ପାଣି ରାସ୍ତା ଉପରେ ଜମିଛି। ସେହିପରି ସାଲେପୁର କୁଆପାଳ ରୋଡ୍‌ ଛକରୁ ବୋଦାମୁଣ୍ଡେଇ ବଜାର ଯାଏ ପୁରା ବର୍ଷା ଜଳ ରାସ୍ତା ଉପରେ ଜମି ରହିଛି। ଫଳରେ ଯାତାୟାତରେ ନାନା ସମସ୍ୟା ଦେଖାଦେଇଛି। ଲୁଣାହାର ଚନ୍ଦ୍ର ଦେଇପୁର ଗାଁରେ ଅନେକ ଘରେ ବର୍ଷା ଜଳ ପଶି ରହିଛି।