ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଦେଖାଦେଇଛି । ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ବନ୍ୟାପାଣି ଗାଁରେ ପଶିବା ଯୋଗୁ ବହୁ ଗାଁ ଜଳବନ୍ଦୀ ହୋଇଛିନ  । ଏନେଇ ଆଜି ଆକାଶ ମାର୍ଗରୁ ବାଲିଆପାଳ ଓ ଭୋଗରାଇର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏରିଏଲ୍ ସର୍ଭେ କରିବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ କନଫରେନସ ହଲରେ ବନ୍ୟା ସ୍ଥିତି ମୁକାବିଲା ନେଇ ମଧ୍ୟ ଆଲୋଚନା କରିଛନ୍ତି ।  ସମୀକ୍ଷା ବୈଠକରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ ।

ସେପଟେ ଫୁଲୁଛି ସୁବର୍ଣ୍ଣରେଖା ଓ ଜଳକା ।  ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକରେ ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଗାଁରେ ଅଣ୍ଟାଏ ଲେଖାଏ ପାଣି ଚାଲିଛି । ଲୋକେ ଘରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଗାଁ ଦାଣ୍ଡରେ ଡଙ୍ଗା ଚାଲିଛି ।  ଘରେ ପାଣି ପଶିଯିବାରୁ ଲୋକମାନେ ରାସ୍ତା କଡ଼ରେ ତମ୍ବୁ ଟାଣି ଆଶ୍ରୟ ନେଇଛନ୍ତି  ।  ଚୁଲିରେ ପାଣି ପଶିଯାଇଛି ।  ଭୋକ ଉପାସରେ ପିଲା ଛୁଆ ଓ ଗୃହ ପାଳିତ ପଶୁ ଧରି ପଡିରହିଛନ୍ତି ।  ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି । ଗତ ୪ଦିନ ଧରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବୁଢ଼ାବଳଙ୍ଗ ବୈତରଣୀ,ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି  ।  ଫଳରେ ବାଲେଶ୍ୱରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like