ଅଧିକ ଘାଇ ସୃଷ୍ଟି ପରେ ରାଜ୍ୟରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିିତି, ମହାନଦୀର ପାଣି ତଳି ଅଞ୍ଚଳରେ ପଶିବା ପରେ ବିପତ୍ତି ଆଣିଛି

ଭୁବନେଶ୍ୱର(କେନ୍ୟୁଜ୍): ଅଧିକ ଘାଇ ସୃଷ୍ଟି ପରେ ରାଜ୍ୟରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିିତି । ମହାନଦୀର ପାଣି ତଳି ଅଞ୍ଚଳରେ ପଶିବା ପରେ ବିପତ୍ତି ଆଣିଛି । ବନ୍ୟାରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ୫ଟି ଘାଇ । ବନ୍ୟାରେ ପ୍ରଭାବିତ ହୋଇଛି କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା । ଗତକାଲି ରାତିରେ କେନ୍ଦ୍ରାପଡ଼ା, ଜଗତସିଂହପୁର ସମେତ କଟକ ଓ ପୁରୀ ଜିଲ୍ଲାର ତଳି ଅଞ୍ଚଳରେ ପିକ୍‌ ଫ୍ଲଡ୍‌ ପାସ କରିଛି ।

କଟକ ମୁଣ୍ଡଳିରେ ଜଳସ୍ତର କମୁଛି । ବନ୍ୟାରେ ୧୨ ଜିଲ୍ଲାର ୬୪ ବ୍ଲକରେ ୧୭ଶହ ୫୭ ଗାଁ ପ୍ରଭାବିତ ହୋଇଛି । ୧୦ଟି ପୌରସଂସ୍ଥାର ୬୦ ଓ୍ଵାର୍ଡରେ ଲୋକ ବନ୍ୟାଘେରରେ ଅଛନ୍ତି । ପାଣିଘେରରେ ରହଛି ୪୨୫ଟି ଗାଁ । ଅଢ଼େଇ ଲକ୍ଷ ଲୋକ ଜଳବନ୍ଦୀ । ବନ୍ୟାରେ ମୋଟ୍‌ ୪ଲକ୍ଷ ୬୭ହଜାର ୩୨୧ ଜଣ ପ୍ରଭାବିତ ହୋଇଛନ୍ତି । ଏଯାଏ ୫୩ହଜାର ୮୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଛି ପ୍ରଶାସନ । ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ଲିଫିକ କମିଶନର । ପ୍ରଭାବିତଙ୍କ ପାଇଁ ୧୫୮ଟି ରନ୍ଧାକେନ୍ଦ୍ର ଖୋଲାଯାଇଛି । ପାଖାପାଖି ୬୦ ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ । ଜଳବନ୍ଦୀ ଅବସ୍ଥାରେ ଥିବା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ବନ୍ୟା ପାଣି ମାଡ଼ି ଯିବା ପରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା ।

ତିନି ଚାରି ଦିନ ହେଲାଣି ଜଳବନ୍ଦୀ ଜୀବନ ବିତାଉଛନ୍ତି ବନ୍ୟାଞ୍ଚଳର ଲୋକ । କେଉଁଠି ଗାଁ ଦାଣ୍ଡରେ ୩-୪ ଫୁଟ ପାଣି ବହୁଛି ତ ଆଉ କେଉଁଠି ଘର ଭିତରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି । ଚାଳ ଛପର ଭାସୁଛି, ଚୁଲି ବୁଡ଼ିଛି । ରାସ୍ତାଘାଟ ଓ ଚାଷ ଜମି ସବୁ ଏକାକାର । ନାହିଁ ନଥିବା ଅସୁବିଧା ଭିତରେ ରହୁଛନ୍ତି ବିପନ୍ନ । ବିଭିନ୍ନ ସ୍ଥାନରେ ଖୋଲା ଆକାଶ ତଳେ ଘରର ଛାତ ପାଲଟିଛି ଲୋକଙ୍କ ଅସ୍ଥାୟୀ ଆଶ୍ରୟସ୍ଥଳୀ । ଘରୁ ପାଦ କାଢ଼ିବା ଏକପ୍ରକାର ମୁସ୍କିଲ ହୋଇ ପଡିଛି । ପାଣି ଛାଡ଼ିବାର ୪୮ ଘଣ୍ଟା ପରେ ଘର ଓ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.