କୁକୁଡ଼ା କିଣିବାକୁ ଯାଉଥିବାବେଳେ ଧରିଦେଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ…

ଗନିଆ ଛକରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ତାଙ୍କୁ ଅଟକାଇବା ସହ ଗାଡି ଯାଞ୍ଚ କରିଥିଲା । ତେବେ ଯାଞ୍ଚବେଳେ ତାଙ୍କ ଠାରୁ ୩ ଲକ୍ଷ ୪୦ ହଜାର ଟଙ୍କା ବାହାରିଥିଲା ।

ବିନିକା(କେନ୍ୟୁଜ): ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି କଡ଼ାକଡ଼ି ଚେକିଂ । ଜବତ ହେଉଛି ପୁଳାପୁଳା ଟଙ୍କା । ଦିନ ସମେତ ରାତ୍ରିକାଳୀନ ଯାଞ୍ଚ ପ୍ରକ୍ରିୟା ମଧ୍ୟ କରାଯାଉଛି । ବିଭିନ୍ନ ସହର ମାନଙ୍କରେ ପ୍ରବେଶ କରୁଥିବା ଗାଡ଼ିର କାଗଜପତ୍ର, ଲୋକଙ୍କ ପରିଚୟ, ଅନ୍ତରାଜ୍ୟ ଅପରାଧୀଙ୍କ ଗତିବିଧି, ନିର୍ବାଚନ ସମୟରେ ବେଆଇନ ଟଙ୍କା, ମାରଣାସ୍ତ୍ର ଓ ମାଦକ ଦ୍ରବ୍ୟ ଆଦି ଯାଞ୍ଚ କରାଯାଉଛି । ସାଧାରଣ ନିର୍ବାଚନ ୨୦୨୪କୁ ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବାକୁ ଚେକିଂ କରାଯାଉଛି ।

ତେବେ ଏହାରି ଭିତରେ ବିନିକା ଥାନା ଗନିଆ ଛକ ଠାରେ ଗତକାଲି ଫ୍ଲାଇଙ୍ଗ ସ୍କ୍ୱାର୍ଡ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ସ୍କର୍ପିଓ ଗାଡି ନଗଦ ୩ ଲକ୍ଷ ୪୦ ହଜାର ଟଙ୍କା ଜବତ କରିଛି । ସେଲେଡି ଗ୍ରାମର କୁବେର ପେରା ଉକ୍ତ ଟଙ୍କା ନେଇ ବିନିକା ରୁ ବରପାଲି ପଟକୁ ଯାଉଥିଲେ । ଗନିଆ ଛକରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ତାଙ୍କୁ ଅଟକାଇବା ସହ ଗାଡି ଯାଞ୍ଚ କରିଥିଲା । ତେବେ ଯାଞ୍ଚବେଳେ ତାଙ୍କ ଠାରୁ ୩ ଲକ୍ଷ ୪୦ ହଜାର ଟଙ୍କା ବାହାରିଥିଲା ।

ସେ ଆବଶ୍ୟକ କାଗଜ ପତ୍ର ଦେଖାଇ ନ ପାରିବାରୁ ପୋଲିସ୍ ଉକ୍ତ ଟଙ୍କାକୁ ଜବତ କରିଛି । ଏହା ସହିତ ୨ ଜଣକୁ ପୋଲିସ୍ ଅଟକ କରି ପଚରା ଉଚରା କରିଥିଲେ । ତେବେ ଯାହା ଜଣାପଡିଛି ଯେ, ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମର କୁବେର ପେରା କୁକୁଡ଼ା କିଣିବାକୁ ଏକ ଫାର୍ମକୁ ଗାଡ଼ି ପଠାଇଥିଲେ । ବ୍ୟାଙ୍କ୍ ରେ ଅନଲାଇନ୍ ଟଙ୍କା ଟ୍ରାନଫର୍ ନ ହେବାରୁ ସେ ନଗଦ ଟଙ୍କା ଧରି ଯାଉଥିବା ବେଳେ ଧରାପଡିଥିଲେ ।

ତେବେ ସୂଚନା ଥାଉକି, ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଗାଡି ମଟର ଚେକିଂ କରାଯାଉଥିବାବେଳେ ଏଥିରେ ସିଟି ଓ ଜିଏସଟି ବିଭାଗ, ଅବକାରୀ ବିଭାଗ, ପୋଲିସ୍, ଜଙ୍ଗଲ ଓ ପରିବେଶ ବିଭାଗକୁ ନେଇ ଗଠିତ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦଳ ଚେକିଂରେ ସାମିଲ ହୋଇଛନ୍ତି । ଯଦି ଯାଞ୍ଚ ସମରେ ଟଙ୍କା ମିଳୁଛି ତେବେ ତାହା ନିର୍ବାଚନ ପାଇଁ ବ୍ୟବହାର ହେବାକୁ ଯାଉଛି ନା ଅନ୍ୟ କୌଣସି କାରଣ ପାଇଁ ଯାଉଛି ତାହାକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ଅଧିକାରୀମାନେ ।

 

Leave A Reply

Your email address will not be published.