ପରିବେଶ ପାଇଁ ଭୟଙ୍କର ବିପଦକୁ ଡାକି ଆଣିଛି ମନୁଷ୍ୟକୃତ ଭୁଲ, ଚିନ୍ତାରେ ପରିବେଶବିତ୍

କାକଟପୁର: ଗରମ ଦିନରେ କୁହୁଡ଼ି । ଆଖିକୁ ବିଶ୍ବାସ ହେଉନି । ଶୀତଦିନେ କୁହୁଡ଼ି ହେଉଥିବା ଆପଣମାନେ ନିଶ୍ଚିତ ଦେଖିଥିବେ କିନ୍ତୁ ଖରାଦିନେ ଏଭଳି କୁହୁଡ଼ି ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ଏହି କୁହୁଡ଼ି ହେବାର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ମନୁଷ୍ୟକ୍ରୁତ କାର୍ଯ୍ୟକଳାପ ପାଇଁ ଖରାଦିନେ କୁହୁଡ଼ି ଦେଖିବାକୁ ମିଳିଛି । କ୍ଷେତରୁ ବାହାରୁଥିବା ଧୂଆଁ ପାଇଁ ଏଭଳି ପରିସ୍ଥିତି ଉପୁଜୁଛି । ଆଉ ଅଦିନରେ କୁହୁଡ଼ି ହେଉଛି । କିନ୍ତୁ ଏହି କୁହୁଡ଼ି ଯେ ପରିବେଶ ପାଇଁ କେତେ ଭୟଙ୍କର ତାହା ନ କହିବା ଭଲ ।
ତେବେ କମ ପରିଶ୍ରମରେ ଅଧିକ ଅମଳ ପ୍ରଣାଳୀ ଆପଣେଇ କ୍ଷେତରେ ଚାଷ କରି ଫସଲ ଅମଳ କରି ପାରୁଛି ଚାଷୀ ଭାଇ । ସେହି ଫସଲ ଦେଶର ଜନସାଧାରଣଙ୍କ ପେଟକୁ ଆହାର ଯୋଗାଉଛି । ଦିନ ଥିଲା ଗ୍ରାମ୍ୟ ବହୁଳ ରାଜ୍ୟ ଭାବେ ଓଡିଶାର ଗ୍ରାମମାନଙ୍କରେ ପାରମ୍ପରିକ ଝାଟିମାଟି ଘର ରହିଥିଲା । ଏହି ଘର ପ୍ରସ୍ତୁତ ପାଇଁ ଧାନ ଗଛ ବା ନଡାକୁ ବ୍ୟବହାର କରାଯାଉଥିଲା ,କିନ୍ତୁ ଆଜିର ଆଧୁନିକ ଯୁଗରେ ଝାଟି ମାଟି ଘର ସ୍ବପ୍ନ ପାଲଟି ଯାଇଛି । ଯାହା ଫଳରେ ଏହି ନଡା ମଣିଷ ପାଇଁ ଅଲୋଡା ହୋଇ ପଡିଛି । ଚାଷୀ ଭାଇମାନେ ପାରମ୍ପରିକ ଚାଷ ଠାରୁ ଦୂରେଇ ଏବେ ଆଧୁନିକ ଯନ୍ତ୍ର ଦ୍ଵାରା ଚାଷ କାର୍ଯ୍ୟ କରୁଛନ୍ତି । କମ ସମୟରେ ଅଧିକ ଅମଳ ପାଇଁ ଆଧୁନିକ ଧାନ ଅମଳ ମେସିନ ବ୍ୟବହାର କରାଯାଉଛି । ଯାହା ଦ୍ଵାରା ଧାନ ଅମଳ ହୋଇ ଘରକୁ ଯାଉଥିବା ବେଳେ ନଡା ଗୁଡିକ ବର୍ଜ୍ୟବସ୍ତୁ ଭାବରେ କ୍ଷେତରେ ପଡି ରହୁଛି ।
କ୍ଷେତରେ ଧାନ ଅମଳ ପରେ ପଡି ରହୁଥିବା ନଡାକୁ ସଫା କରିବା ପାଇଁ ଚାଷୀ ଭାଇମାନେ ସହଜ ଉପାୟ ଅବଲମ୍ବନ କରି ସେଥିରେ ନିଆଁ ଲଗାଇ ଦେଉଛନ୍ତି ଯାହାର ପ୍ରଭାବ ଆମ ପରିବେଶ ଉପରେ ସିଧାସଳଖ ପଡୁଛି । ନଡାରେ ନିଆଁ ଲାଗିବା ପରେ ପ୍ରଚୁର ମାତ୍ରାରେ ଧୂଆଁ ସୃଷ୍ଟି ହେଉଛି, ଯାହା ବାୟୁ ମଣ୍ଡଳକୁ ପ୍ରଦୂଷିତ କରିବା ସହ ଏଥିରୁ ବାହାରୁଥିବା ଉତ୍ତାପ ଯୋଗୁଁ ଅଧିକ ଗରମ ଅନୁଭୂତ ହେଉଛି । ଯାହା ଫଳରେ ଋତୁଚକ୍ର ପ୍ରଭାବିତ ହେବା ସହିତ ଅଦିନରେ କୁହୁଡି ଏବଂ କାଳ ବୈଶାଖୀ ଦେଖିବାକୁ ମିଳୁଛି । ଚଳିତ ବର୍ଷ ଏହି ଧୂଆଁ କାରଣରୁ ଅଦିନିଆ କୁହୁଡି ରବି ଫସଲ ଏବଂ ଫଳ ଚାଷ ଉପରେ ଗଭୀର ପ୍ରଭାବ ପକାଇଥିବା ଦେଖିବାକୁ ମିଲଥିଲା । ଅଦିନିଆ କୁହୁଡି ଯୋଗୁଁ ମୁଗ, ବିରି ଭଳି ଫସଲରେ ବ୍ୟାପକ କ୍ଷତି ହୋଇଛି । ସବୁ ଫସଲରେ ଫୁଲ ଏବଂ ଫଳ ଆସିବାରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ସେହିଭଳି ଆମ୍ବ ଚାଷରେ ବଉଳ ଗୁଡିକ ନଷ୍ଟ ହେବା ସହ କେତେକ ଗଛରୁ ଆମ୍ବ କଷି ଝଡି ପଡିଥିବା ଦେଖିବାକୁ ମିଳିଛି ।
ଚାଷୀ ଭାଇମାନଙ୍କର ମନୁଷ୍ୟକୃତ ଭୁଲ ଆଜି ପରିବେଶ ପାଇଁ ଭୟଙ୍କର ବିପଦକୁ ଡାକି ଆଣିଛି । ଧାନ କ୍ଷେତରୁ ବାହାରୁଥିବା ଧୂଆଁ ପରିବେଶକୁ ପ୍ରଦୂଷିତ କରିବା ସହ ଋତୁଚକ୍ରରେ ପରିବର୍ତ୍ତନ ଆଣିଛି । ଆଗାମୀ ଦିନରେ ଏହାର ଯଦି ପ୍ରତିକାର କରା ନଯାଏ ତେବେ ମଣିଷ ସମାଜ ପାଇଁ ଏହି ଧୂଆଁ ବିନାଶର କାରଣ ପାଲଟିବ ସେଥିରେ ସନ୍ଦେହ ନାହିଁ ।
Also Read:ପ୍ରଦୂଷିତ ହେଉଛି ହୀରାକୁଦ ଜଲଭଣ୍ଡାରର ପାଣି ! ଚିନ୍ତାରେ ସ୍ଥାନୀୟ ଲୋକେ ଓ ଚାଷୀ