ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଦେଶରେ ଶୀର୍ଷ ସ୍ଥାନରେ ରହିଛି ଓଡ଼ିଶା: ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ

(କେନ୍ୟୁଜ): ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରଶଂସା ପରେ, ଓଡ଼ିଶାକୁ ଖାଦ୍ୟ ନିରାପତ୍ତାରେ ଆଉ ଏକ ସଫଳତା। ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ନମ୍ବର ୱାନ। ହିତାଧିକାରୀ ଚିହ୍ନଟ, ତୃଣମୂଳ ସ୍ତରରେ ଖାଦ୍ୟ ପହଞ୍ଚାଇବା ଏବଂ ଖାଦ୍ୟର ଗୁଣାତ୍ମକମାନକୁ ଦେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ଓଡ଼ିଶା ସବୁଠାରୁ ଆଗରେ ରହିଛି।

ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାରେ ପ୍ରଥମ ସ୍ଥାନରେ ଓଡ଼ିଶା। ରାଜ୍ୟଗୁଡିକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କିଭଳି କାର୍ଯ୍ୟକାରୀ ହେଉଛି ତାକୁ ନେଇ ଆଜି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ର‍୍ୟାକିଂ ପ୍ରକାଶ କରାଯାଇଛି। ତାଲିକାରେ ଟପ୍‌ ପୋଜିସନରେ ଓଡ଼ିଶା। ଓଡ଼ିଶାର ସ୍କୋର ରହିଛି ୦.୮୩୬। ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ତୃତୀୟ ସ୍ଥାନରେ ଆନ୍ଧ୍ରପ୍ରଦେଶ ରହିଛି। ବର୍ତ୍ତମାନ ଯେଉଁ ର‍୍ୟାଙ୍କିଂ ପ୍ରକାଶିତ ହୋଇଛି, ତାହା ୩ଟି ମାନଦଣ୍ଡ ଉପରେ ଆଧାରିତ। ପ୍ରଥମ ସଠିକ୍‌ ହିତାଧିକାରୀଙ୍କୁ ଚିହ୍ନଟ। ଦ୍ୱିତୀୟ କେଉଁଭଳି ଖାଦ୍ୟ ଆବଣ୍ଟନ କରାଯାଉଛି। ଜିଲ୍ଲାସ୍ତରରୁ ବ୍ଲକସ୍ତର ଦେଇ ସୁଲଭମୂଲ୍ୟ ଦୋକାନରେ ଖାଦ୍ୟ କେମିତି ପହଞ୍ଚୁଛି। ତୃତୀୟ ଆବଣ୍ଟିତ ହେଉଥିବା ଖାଦ୍ୟର ମାନ କଣ ରହିଛି। ଏ ସବୁର ମିଶ୍ରଣରେ ପ୍ରସ୍ତୁତ ର‍୍ୟାକିଂରେ ଓଡ଼ିଶା ନମ୍ବର ୱାନ।

ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି । ସାରା ଦେଶରେ ଓଡ଼ିଶା ପ୍ରଦର୍ଶନ ସବୁଠୁ ଭଲ । ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ଏବଂ ସର୍ବସାଧାରଣ ବିତରଣ ମନ୍ତ୍ରୀ ପିୟୁଷ ଗୋଏଲ ଏନେଇ ଆଜି ସୂଚନା ଦେଇଛନ୍ତି । ଓଡିଶାର ଏହି ସଫଳତା ପାଇଁ ସବୁଆଡୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦୁଇ ଦଶନ୍ଧି ତଳେ ଓଡିଶା ଗରିବ ରାଜ୍ୟ ତାଲିକାରେ ଶୀର୍ଷରେ ରହୁଥିଲା । ହେଲେ ଆଜିର ସଫଳତା ସମସ୍ତ ଓଡିଆ ବାସୀଙ୍କ ପାଇଁ ଗର୍ବର ବିଷୟ। ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଅଗ୍ରଗତି କରି ଶୀର୍ଷରେ ପହଞ୍ଚିବାର ଯାତ୍ରାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.