ଆଳୁ ଗଦିରେ ସ୍ଥିତି ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ, କହିଲେ – ଅସାଧୁ ବ୍ୟବସାୟୀଙ୍କ ଉପରେ ରଖିଛୁ କଡ଼ା ନଜର

ଭୁବନେଶ୍ୱର : ରାଜ୍ୟରେ ବେଲଗାମ ଆଳୁ ଦର। ଚିନ୍ତାରେ ଖାଉଟି । ଆଳୁ କିଲୋ ପିଛା ଦର ୫୦ ଛୁଇଁଲାଣି । ଏହାରି ଭିତରେ ଭୁବନେଶ୍ବର ଆଇଗିଣିଆ ଆଳୁ ଗଦିରେ ସ୍ଥିତି ସମୀକ୍ଷା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ହଠାତ୍ ଆଳୁ ଦର ବୃଦ୍ଧି ପଛରେ କିଛି ଅସାଧୁ ବ୍ୟବସାୟୀ ଅଛନ୍ତି। ସେମାନଙ୍କ ଉପରେ ନଜର ରଖାଯାଇଛି। ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ସରକାରଙ୍କ ସହ ବୈଠକରେ ଆଲୋଚନା କରାଯିବ। ପଶ୍ଚିମବଙ୍ଗରୁ କିଭଳି ଆଳୁ ଆସିପରିବ ସେ ନେଇ ଚେଷ୍ଟା କରାଯାଉଛି । ପରିସ୍ଥିତି ନ ସୁଧିରିଲେ ଉତ୍ତରପ୍ରଦେଶରୁ ଆଳୁ ଅଣାଯିବାକୁ ଯୋଜନା କରାଯାଉଥିବା ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଆଳୁ ଉପରେ ସାଧାରଣତଃ ରାଜ୍ୟ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ । ତେବେ ପଶ୍ଚିମବଙ୍ଗରେ ଶୀତଳଭଣ୍ଡାର ମାଲିକଙ୍କ ଧର୍ମଘଟ ପାଇଁ ଏବେ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । କିଛି ଦିନ ହେଲା ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆମଦାନୀ ହୋଇପାରୁନାହିଁ । ଏଥିପାଇଁ ହଠାତ ଆଳୁଦର ବସ୍ତା ପ୍ରତି ୫୦୦ଟଙ୍କା ବଢିଛି। ଖୁଚୁରା ବଜାରରେ ଆଳୁ କିଲୋ ୪୦ରୁ ୪୫ଟଙ୍କାର ବିକ୍ରି ହେଉଛି।
ତେବେ ପରିବା ଦରରେ ଅହେତୁକ ବୃଦ୍ଧିକୁ ନେଇ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି । ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା ମାତ୍ର ଏବେ ୫୦୦ ଟଙ୍କାରେ ବି ବ୍ୟାଗଟେ ଭର୍ତ୍ତି ହେଉନାହିଁ । ସେହିପରି ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟିମାନେ ଏକ କିଲୋ ବଦଳରେ ଅଢେଇ ଶହ ଗ୍ରାମ କିମ୍ବା ୫ ଶହ ଗ୍ରାମ ପରିବା ନେଉଛନ୍ତି ।