ଦୀର୍ଘ ୪୦ବର୍ଷ ହେଲା ଏମାନଙ୍କୁ ନା ମିଳୁଛି ପଟ୍ଟା ନା ମିଳୁଛି ସରକାରୀ ସୁବିଧା

ରାୟଗଡା: ଦୀପ ତଳ ଅନ୍ଧାର ଭଳି ସହରାଞ୍ଚଳରେ ଥାଇ ମଧ୍ୟ ମିଳୁନି ସରକାରୀ ସୁବିଧା । ଏ ହେଉଛି ରାୟଗଡା ପୌରାଞ୍ଚଳ ଅଧିନସ୍ଥ ୨୪ ନଂମ୍ବର ୱାର୍ଡର ଶିରିଗୁଡା ବସ୍ତିର କଥା । ନାକ ତଳେ ସମସ୍ତ ସରାକରୀ ଦପ୍ତର ରହିଥିଲେ ସୁଦ୍ଧା ସରକାରୀ ସୁବିଧା ପାଇବାରୁ ଏହି ପରିବାର ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।
ଶିରିଗୁଡା ଗ୍ରାମରେ ଦୀର୍ଘ ୪୦ ବର୍ଷ ଧରି ପ୍ରାୟ ୨୦ଟି ପରିବାର ବସବାସ କରୁଛନ୍ତି । ବସ୍ତିକୁ ଗମନାଗମନର ସୁବିଧା ପାଇଁ ରାସ୍ତାର ମଧ୍ୟ ବ୍ୟବସ୍ଥା କରାଯିବା ସହ ସରକାରଙ୍କ ତରଫରୁ ବିଦ୍ୟୁତିକରଣ ଓ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଆଦିବାସୀ ପରିବାରକୁ ଘର ଡିହ ପଟ୍ଟା ପ୍ରଦାନ କରାଯାଇନି । ଫଳରେ ଏହି ଆଦିବାସୀ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବିଶେଷ କରି ଛାତ୍ରଛାତ୍ରୀ ମାନେ ଅଧିକ ସମସ୍ୟା ଦେଇ ଗତି କରୁଛନ୍ତି । ବିଦ୍ୟାଳୟରେ ନାମଲେଖା ପାଇଁ ସ୍ଥାୟୀ ଘର ଡିହ ପଟ୍ଟାର ଆବଶ୍ୟକ ପଡୁଥିବା ବେଳେ ପଟ୍ଟା ନମିଳିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ଏହି ଶିରିଗୁଡା ବସ୍ତି ବାସିନ୍ଦା ପ୍ରାୟ ସମସ୍ତେ ଦିନ ମଜୁରିଆ । ମୂଲଲାଗି କଲେ ଏମାନଙ୍କ ଗୁଜୁରାଣ ମେଣ୍ଟିଥାଏ । ୨୦ଟି ପରିବାର ମଧ୍ୟରୁ କାହା ପାଖରେ ହେଲେ ଜମି ଖଣ୍ଡିଏ ନାହିଁ । ୨ସେଣ୍ଟ୍ ଘର ଡିହ ପଟ୍ଟା ନଥିବା ଯୋଗୁଁ ଏହି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇପାରୁନି । ଭଙ୍ଗା ଦଦରା ଆଜବେଷ୍ଟ ଘରେ ପାଲ ଟାଙ୍ଗି ଦୀର୍ଘ ଚାଳିଶ ବର୍ଷ ଧରି ଏମାନେ ଏଠାରେ ଦିନ କାଟୁଛନ୍ତି । ଏନେଇ ଶିରିଗୁଡା ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ କେବଳ ଅଶ୍ୱାସନା ପରିବର୍ତ୍ତେ ସେମାନଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମିଳିପାରିନାହିଁ ।
ତେବେ ଆସନ୍ତା ୧ମାସ ମଧ୍ୟରେ ଘରଡିହ ପଟ୍ଟା ନମିଳିଲେ କୋଡିଏ ଟି ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି କହିଛନ୍ତି । ଅନ୍ୟପଟେ ଏନେଇ ଆମେ ସ୍ଥାନୀୟ ବିଧାୟକ ଆପଲୁସ୍ଵାମୀ କାଡ୍ରାକାଙ୍କ ପ୍ରତିକ୍ରିଆ ନେବାରୁ ସେ ଏନେଇ ରାଜସ୍ଵ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲୋକ ମାନେ କିପରି ପଟ୍ଟା ପାଇପାରିବେ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
ସ୍ଵାଧିନତାର ସାତ ଦଶନ୍ଦି ପରେ ମଧ୍ୟ ରାୟଗଡା ଜିଲ୍ଲାର ଆଦିବାସୀ ସଂପ୍ରଦାୟଙ୍କୁ ମିଳୁନି ମୌଳିକ ସୁବିଧା । ଫଳରେ ଶିରିଗୁଡା ପରି ଅନେକ ଆଦିବାସୀ ବସ୍ତି ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ରାୟଗଡା ଜିଲ୍ଲା ପ୍ରଶାସନ ସେମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ଆଗେଇ ଆସିବା ଆବଶ୍ୟକ ହୋଇପଡିଛି ।