ମକର ସଂକ୍ରାନ୍ତି ପାଇଁ କଟକ ପ୍ରଶାସନ ପକ୍ଷରୁ କଡ଼ା କଟକଣା, ମାଞ୍ଜା ଓ ନାଇଲନ ସୂତା ଉପରେ ଲାଗିଲା ବ୍ୟାନ

କଟକ(କେନ୍ୟୁଜ୍): ଆସନ୍ତା କାଲି ମକର ସଂକ୍ରାନ୍ତି। ମାଞ୍ଜା ଓ ନାଇଲନ ସୂତା ଉପରେ ବ୍ୟାନ କଲା କଟକ ଜିଲା ପ୍ରଶାସନ। ମାଞ୍ଜା ସୂତା ପ୍ରସ୍ତୁତି, ବିକ୍ରୀ, ଗଚ୍ଛିତ ଓ ଉଡ଼ାଇବା ଉପରେ କଟକଣା ଲଗାଇଲା ଜିଲା ପ୍ରଶାସନ। ଏ ନେଇ କଟକ ଜିଲ୍ଲାପାଳଙ୍କ ପକ୍ଷରୁ ଅଫିସ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାଞ୍ଜାସୂତାରେ ଗୁଡ଼ି ଉଡାଇବାକୁ ସଂପୂର୍ଣ୍ଣ ବାରଣ କରିବା ସହିତ ଅନଲାଇନରେ ମାଞ୍ଜାସୂତା ବିକ୍ରିକୁ ନିଷିଦ୍ଧ କରିବା ପାଇଁ ହାଇକୋର୍ଟରେ ରୁଜ୍ଜୁ ମାମଲାର ଶୁଣାଣି କରି ଆବେଦନକାରିଣୀଙ୍କ ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ କରିବାକୁ କଟକ ଜିଲ୍ଲାପାଳଙ୍କୁ ଗତ ସୋମବାର ଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପ୍ରିଲ ୩ ତାରିଖ ସୁଦ୍ଧା ଏ ନେଇ ଏକ ଗାଇଡଲାଇନ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କିଭଳି କଡାକଡି ଭାବେ ଲାଗୁ କରାଯିବ ସେ ନେଇ ଜିଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇ ମାମଲାର ଅନ୍ତ ଘଟାଇଥିଲେ ହାଇକୋର୍ଟ। ମାମଲାରେ ଦର୍ଶାଯାଇଥିଲା ଯେ, ୧୪ତାରିଖରେ ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ପରିପ୍ରେକ୍ଷୀରେ ଗୁଡ଼ି ଉଡାଇବାର ଏକ ପରମ୍ପରା ରାଜ୍ୟରେ ରହିଛି । ମାତ୍ର ଏବେ ଗୁଡ଼ି ଉଡାଇବା ଦ୍ୱାରା ଜନସାଧାରଣଙ୍କ ପାଇଁ ବିପଦର କାରଣ ହୋଇଥିବା ଯୋଗୁଁ ବହୁ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ଗୁଡ଼ି ଉଡାଇବା ଉପରେ କଟକଣା ଲଗାଇବା ପାଇଁ ଦାବି କରୁଛନ୍ତି । ପ୍ରତିବର୍ଷ ଗୁଡ଼ି ଉଡ଼ାଇବା ଦ୍ୱାରା ସୂତା ବେକରେ ଲାଗି ଏକାଧିକ ବାଇକ ଆରୋହୀ, ସାଇକେଲ ଆରୋହୀଙ୍କ ସମେତ ପଶୁ ପକ୍ଷୀଙ୍କ ପ୍ରାଣହାନୀ ଭଳି ଦୁର୍ଘଟଣା ଘଟୁଛି ।

ଏତେ ଅଘଟଣ ପରେ ମଧ୍ୟ ପ୍ରଶାସନ କିମ୍ବା ଲୋକେ ଚେତୁନଥିବା ଯୋଗୁଁ ଏଥିରେ କଟକଣା ଲଗାଇବା ପାଇଁ ହାଇକୋର୍ଟରେ ଏକ ମାମଲା କରାଯାଇଛି । ବିଶେଷ କରି ଗୁଡ଼ି ଉଡାଇବା ଉପରେ କଟକଣା ଲାଗୁ କରିବା ନିମନ୍ତେ କଟକ ବକ୍ସିବଜାର ମେରିଆବଜାରର ପୁଷ୍ପାଞ୍ଜଳି ମହାପାତ୍ର ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରିଥିଲେ । ସେ ଦାଖଲ କରିଥିବା ପିଟିସନରେ ଦର୍ଶାଇଥିଲେ ଯେ, ମାଞ୍ଜାସୂତାରେ ଗୁଡ଼ି ଉଡାଇବା ଦ୍ୱାରା ଅନେକ ଜୀବନହାନି ହେଉଛି । ଏ ନେଇ ସରକାର ଓ ପ୍ରଶାସନ କଟକଣା ଲଗାଇବା ଉଚିତ । ଏହି ମାମଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ଡିଜିପି, କଟକ ଡିସିପି, କଟକ ଜିଲ୍ଲାପାଳ, ସିଏମସି, ବିଏମସିକୁ ମଧ୍ୟ ପକ୍ଷଭୁକ୍ତ କରାଯାଇ ଥିଲା । ଆବେଦନକାରିଣୀଙ୍କ ପକ୍ଷରୁ ମାମଲାଟିକୁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ପରିଚାଳନା କରୁଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.