ଗାଁରେ ବଢ଼ିବାରେ ଲାଗିଛି ତାଳସଜର ଚାହିଦା, ଗରିବ ଲୋକଙ୍କୁ ଯୋଗାଉଛି ରୋଜଗାରର ପନ୍ଥା

ପୁରୁଷୋତ୍ତମପୁର (କେନ୍ୟୁଜ): ଖରାଦିନ ଆସିଲେ ଶରୀରକୁ ଅଧିକ ପରିମାଣରେ ଜଳର ଆବଶ୍ୟକତା ରହିଥାଏ ସେଥିପାଇଁ ତ ଲୋକେ ତରଭୁଜ, ଆମ୍ବ, ତାଳସଜ ଓ ପାଣିଫଳ ଆଦି ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏହା ଶରୀରର ଅନେକ ଉପକାରିତାରେ ମଧ୍ୟ ସହଯୋଗ ହୋଇଥାଏ । ଦେଢ଼ ମସିଆ ଖରାରେ ପେଟ ଥଣ୍ଡା ଓ ଟାଣ ଖରାରୁ ରକ୍ଷା ପାଇବା ପାଇଁ ଲୋକେ ତାଳସଜ ଖାଇବାକୁ ବେଶ ପସନ୍ଦ କରନ୍ତି ।

ତେଣୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଦାମୋଦରପୁର ଗାଁ ରେ ଦେଖିବାକୁ ମିଳୁଛି ତାଳସଜର ଚାହିଦା । କାରଣ ଏଠି ବହୁଳ ପରିମାଣରେ ତାଳ ଗଛ ଦେଖିବାକୁ ମିଳିଥାଏ । ଖରାଦିନ ଆସିଲେ ଏହି ଗାଁ ତାଳ ବ୍ୟବସାୟ ପାଇଁ ଖୁବ ପ୍ରସିଦ୍ଧ ହୋଇଥାଏ । ଗାଁର ଜନସଂଖ୍ୟା ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ ଥିବାବେଳେ ଅଧିକାଂଶ ଲୋକେ ଭରଣପୋଷଣ ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି ଏବଂ ଯେଉଁ ସବୁ ଗରିବ ଶ୍ରେଣୀର ଲୋକେ ଥାଆନ୍ତି ଖରାଦିନ ଆସିଲେ ତାଳ ବ୍ୟବସାୟ କରିଥାନ୍ତି ।

ଏହି ଗାଁର ମୁଖ୍ୟ ରାସ୍ତାଟି ବ୍ରହ୍ମପୁର ତଥା ଭୁବନେଶ୍ୱରର ଏନ୍.ଏଚ୍ କୁ ସଂଯୋଗ ହୋଇଥିବାରୁ ଅନେକ ବର୍ଗର ଲୋକଙ୍କ ଯାତାୟାତ ଲାଗି ରହିଥାଏ । ଏହି ରାସ୍ତା ଦେଇ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବାଟୋଇମାନେ ଅଟକି ରହନ୍ତି ତାଳସଜର ମଜା ନେବା ପାଇଁ । ତାଳସଜ ଖାଇ ପେଟକୁ ଥଣ୍ଡା ଓ ମନକୁ ତୃପ୍ତି କରିଥାନ୍ତି । ତାଳସଜ ବାହାରୁ ନଡ଼ିଆ ପରି ଦେଖାଯାଏ କିନ୍ତୁ ଏହାର ଗଠନ ଭିତରୁ ଲିଚି ପରି ।

ତାଳସଜ କେବଳ ନଡ଼ିଆ ସହିତ ସମାନ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମାନ ଲାଭଦାୟକ ହୋଇଥାଏ । ଉଦୁଉଦିଆ ଖରାରେ ଗରିବ ବେପାରୀମାନେ ଖରାରେ ବସି ବାଟୋଇମାନଙ୍କୁ ଖୁଆଉଛନ୍ତି ତାଳସଜ । କଅଁଳ ସୁଆଦିଆ ତାଳସାଜ ଖାଇବାକୁ ସବୁ ବର୍ଗର ଲୋକଙ୍କ ଭିଡ଼ ଜମୁଛି । ଗରିବ ଶ୍ରେଣୀର ବେପାରୀମାନେ ରାସ୍ତାକଡରେ ବସି ତାଳସଜ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରି ନିଜ ପରିବାରର ଭରଣପୋଷଣ କରିଥାନ୍ତି ।

You might also like