ଲଗାତାର ଦ୍ୱିତୀୟ ବର୍ଷ ଲାଗି ମ୍ୟାଲେରିଆ ସଂକ୍ରମଣରେ ଶୀର୍ଷରେ ଓଡ଼ିଶା, ରାୟଗଡା ଜିଲ୍ଲାରେ ୩୦ ପ୍ରତିଶତ ରୋଗୀ

ରାୟଗଡା: ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ କାୟା ବିସ୍ତାର କରିଛି ମ୍ୟାଲେରିଆ । ଜିଲ୍ଲାର ଦୁର୍ଗମ ଅଞ୍ଚଳ ହେଉ ଅଥବା ସହରାଞ୍ଚଳ ସବୁଠି ଲୋକେ ମ୍ୟାଲେରିଆରେ ଆକ୍ରାନ୍ତ ହେଉଛନ୍ତି ଓ ବର୍ଷକୁ ବର୍ଷ ଏହାର ସଂଖ୍ୟାରେ ବୃଦ୍ଧି ଘଟୁଛି । ତେବେ ଲଗାତାର ଦ୍ୱିତୀୟ ବର୍ଷ ଲାଗି ଓଡ଼ିଶା ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ରାଜ୍ୟର ୩୦ ପ୍ରତିଶତ ରୋଗୀ ରାୟଗଡା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।
ସ୍ଥିତି ଏପରି ହୋଇଛି ଯେ କେନ୍ଦ୍ର ସରକାରଙ୍କ ମ୍ୟାଲେରିଆ ନିରାକରଣ ପାଇଁ ୨୦୨୭କୁ ଲକ୍ଷ୍ୟ ଧାର୍ଯ୍ୟ ସାତସପନ ପାଲଟିଛି । ରାୟଗଡା ଜିଲ୍ଲା ଏକ ଦୁର୍ଗମ ଅଞ୍ଚଳ ଓ ଏଠାରେ ବିଶେଷ ଭାବେ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି । ମଶାଙ୍କ ପ୍ରାଦୁର୍ଭାବ ଅଧିକ ଦେଖାଯାଏ । ହେଲେ ମ୍ୟାଲେରିଆ ମୁକାବିଲା କରିବାକୁ ପୁଣି ଚାରି ବର୍ଷ ପରେ ଆରମ୍ଭ ହୋଇଛି ମଶାରୀ ବଣ୍ଟନ । ଆଶା ମ୍ୟାଲେରିଆ ବାହକ ମଶା ନିରାକାରଣ ସହ ରୋଗୀ ସଂଖ୍ୟା କମିବ ।
ଏବେ ଏହାକୁ ପୁଣି ଆରମ୍ଭ କରାଯାଇଛି ଓ ଘରେ ଘରେ ପହଞ୍ଚି ଲୋକଙ୍କୁ ମଶାରୀ ବଣ୍ଟନ ସହିତ ସଚେତନ କରୁଛନ୍ତି ଅଙ୍ଗନୱାଡି,ଆଶା ଓ ସ୍ୱାସ୍ଥ୍ୟ କର୍ମୀ । ଲୋକ ମାନଙ୍କୁ ମ୍ୟାଲେରିଆ ରୋଗ ସଂକ୍ରାନ୍ତରେ ସଚେତନ କରାଯିବା ସହ ସବୁଦିନ ଯେପରି ମଶାରୀ ଟାଙ୍ଗି ଶୋଇବ ସେନେଇ ଆଶା ଦିଦି ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଲୋକ ମାନଙ୍କୁ ବୁଝାଉଛନ୍ତି ।
ରାୟଗଡା ଜିଲ୍ଲାରେ ଗତ ୨୦୨୦ ମସିହାରେ ଦମନ କାର୍ଯ୍ୟକ୍ରମ ଅଧୀନରେ ଶେଷ ଥର ପାଇଁ ମଶାରୀ ବଣ୍ଟନ କରାଯାଇଥିବା ବେଳେ ମଶାରୀର ସଠିକ ବ୍ୟବହାର ହୋଇନଥିବାରୁ ଜିଲ୍ଲାରେ ଦିନକୁ ଦିନ ମ୍ୟାଲେରିଆ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ରାୟଗଡା ଜିଲ୍ଲାରେ ୨୦୨୦ରେ ୩ ଲକ୍ଷ ୩୦ହଜାର ୧୩୫ଲୋକଙ୍କର ରକ୍ତ ପରୀକ୍ଷଣ ହୋଇଥିଲା ଏବଂ ସେଥିରୁ ୫୩୯୨ଲୋକ ମ୍ୟାଲେରିଆ ପଜିଟିଭି ଚିହ୍ନଟ ହୋଇଥିବାବେଳେ ୨୦୨୧ରେ ଏହା ୩ଲକ୍ଷ୯୮ହଜାର ୮୫୭ ପରୀକ୍ଷଣରୁ ବୃଦ୍ଧି ପାଇ ୫ହଜାର ୭୯୦ଜଣ ପଜିଟିଭ ବାହାରିଥିଲେ ।
ସେହିପରି ୨୦୨୨ରେ ୪ଲକ୍ଷ ୯୫ହଜାର ୫୪୭ ପରୀକ୍ଷଣରୁ ୪୯୯୮ଜଣ, ୨୦୨୩ରେ ୫ଲକ୍ଷ ୮୪ହଜାର ୩୦୭ଜଣଙ୍କ ମଧ୍ୟରୁ ୯୯୨୫ଜଣ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ୨୦୧୪ରେ ୬ଲକ୍ଷ ୩୧ହଜାର ୭୨୮ଜଣଙ୍କ ରକ୍ତରୁ ସର୍ବାଧିକ ୧୨ହଜାର ୭୨୧ଜଣ ଆକ୍ରାନ୍ତ ମ୍ୟାଲେରିଆ ଚିହ୍ନଟ ହୋଇଛନ୍ତି । ଏହି ସ୍ଥିତିକୁ ଆକଳନ କଲେ ପ୍ରମାଣିତ ହେଉଛି କି ପ୍ରତି ବର୍ଷ ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟ ପକ୍ଷରେ ସ୍ଥିତିର ଗମ୍ଭୀରତାକୁ ଆଖି ଆଗରେ ରଖି ଚାରି ବର୍ଷ ଧରି ବନ୍ଦ ପଡିଥିବା ମଶାରୀ ବଣ୍ଟନ କର୍ଯ୍ୟକ୍ରମକୁ ପୁଣି ଆରମ୍ଭ କରାଯାଇଛି ।
ଗତ ନଭେମ୍ବର ୨ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ପାଖା ପାଖି ୯୦ପ୍ରତିଶତରୁ ଅଧିକ ଅର୍ଥାତ ପ୍ରାୟ ୬ଲକ୍ଷରୁ ଅଧିକ ମଶାରୀ ବଣ୍ଟନ ସରିଛି ଓ ଶୀଘ୍ର ସବୁ ଲୋକଙ୍କ ନିକଟରେ ପହଞ୍ଚିବ । ଏହାର ବହୁଳ ବ୍ୟବହାର ନିମନ୍ତେ ଗାଁ ଗାଁ ରେ କ୍ୟାମ୍ପ କରିବା ସହିତ ଲୋକଙ୍କୁ ସଚେତନ କରାଯାଉଥିବାରୁ ଏବେ ମ୍ୟାଲେରିଆରେ ବ୍ରେକ୍ ଲାଗିବ ବୋଲି ଆଶା କରୁଛି ସ୍ଵାସ୍ଥ୍ୟ ବିଭାଗ । ରାୟଗଡା ଜିଲ୍ଲାରେ ଦିନକୁ ଦିନ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ଦିଗରେ ମଶାରୀକୁ ସ୍ଵାସ୍ଥ୍ୟ ବିଭାଗ ଅସ୍ତ୍ର ରୂପେ ବ୍ୟବହାର କରିଛି ।