ବାଘ ମାଂସ ଖାଇବା ଘଟଣା: ୨ ଫେରାର, ଅନ୍ୟ ଦୁଇଙ୍କୁ କାବୁ କଲା ବନ ବିଭାଗ

ନୂଆପଡ଼ା: ନୂଆପଡ଼ାରେ ବିଦ୍ୟୁତ୍‌ ତାରରେ ଲାଗି ବାଘର ମୃତ୍ୟୁ ପରେ ଶିକାରୀମାନେ ଏହାର ମାଂସକୁ ଭୋଜି କରି ଖାଇବା ଘଟଣା ଏବେ ଚର୍ଚ୍ଚାରେ ରହିଛି ।  ଏହି ଘଟଣାରେ ବନ ବିଭାଗ ୨ ଜଣ ଶିକାରୀଙ୍କୁ କାବୁ କରୁଥିବା ବେଳେ ଆଉ ୨ ଜଣ ଫେରାର ଅଛନ୍ତି ।  ସେମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରି ତନାଘନା ଜାରି ରଖିଛି ।

ସୂଚନା ଅନୁସାରେ, ସୁନାବେଡ଼ା ଅଭୟାରଣ୍ୟର ତଳି ଅଞ୍ଚଳ କୋମନା ରେଞ୍ଜ ଦେଓଦରା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶିକାରୀମାନେ ଦେଓଧରା ପାଟିଡ଼ଙ୍ଗର ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ । ହେଲେ ବିଦ୍ୟୁତ୍‌ ତାରରେ ଲାଗି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା । ସକାଳେ ୪ ଜଣ ଶିକାରୀ ମୃତବାଘକୁ ଜଙ୍ଗଲର ଏକ ନାଳ ପାଖରେ ଖଣ୍ଡଖଣ୍ଡ କରି କାଟିଥିଲେ । ଅଧାମାଂସକୁ ଭୋଜି କରି ଖାଇଥିଲେ । ଅବଶିଷ୍ଟ ମାଂସ ସହ ମୁଣ୍ଡ, ଗୋଡ଼ ଓ ଛାଲ ରଖିଥିଲେ ।

କୌଣସି ସୂତ୍ରରୁ ଖବର ପାଇ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ୍‌ ଖାନଙ୍କ ନେତୃତ୍ବରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ସୋମବାର ରାତିରେ ଦେଓଧରା ଗାଁରେ ଚଢ଼ଉ କରି ଗାଁର ପୁସ୍ତମ ଚିନ୍ଦା ଓ ହୃଷୀକେଶ ଚିନ୍ଦା ଙ୍କ ଘରୁ ବାଘ ମୁଣ୍ଡ, ଲାଞ୍ଜ, ଛାଲ ଓ ମାଂସ ଜବତ କରିଥିଲେ ।  ଅନ୍ୟ ୨ଜଣ ଶିକାରୀ ଏବେବି ଫେରାର ଅଛନ୍ତି ।  ସେମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରି ଜୋରଦାର ତନାଘନା ଜାରିରଖିଛି ।  ସେହିଭଳି ଜବତ ବାଘମୁଣ୍ଡ, ଲାଞ୍ଜ ଓ ମାଂସକୁ ବନ ବିଭାଗ ପୋତି ଦେଇଥିବା ବନଖଣ୍ଡ ଅଧିକାରୀ ଅଜିଜ୍‌ ଖାନ କହିଛନ୍ତି ।

 

 

 

 

You might also like