ବିଦ୍ୟୁତ ଆଘାତରେ ଗୁରୁତର ମାଙ୍କଡ଼କୁ ଉଦ୍ଧାର କଲେ ବନବିଭାଗ

ପୁରୀ : ଏ ସ୍ୱାର୍ଥପର ଦୁନିଆରେ ରାସ୍ତାରେ ମରି ପଡ଼ିଥିଲେ କେହି ଆଖି କଣରେ ଚାହୁଁ ନାହାଁନ୍ତି କି ଟିକିଏ ଭଲ ମନ୍ଦ ପଚାରି ବୁଝୁ ନାହାଁନ୍ତି । ସମସ୍ତେ ନିଜ କାର୍ଯ୍ୟରେ ଏପରି ବ୍ୟସ୍ତ ରହୁଛନ୍ତି ଯେ କାହା କଥା ବୁଝିବା ପାଇଁ ସମୟ ନାହିଁ କାହାରି ପାଖରେ । ଅସୁବିଧାରେ ପଡ଼ି ଛଟପଟ ହେଉଥିଲେ ବି ମଣିଷଙ୍କୁ ଦେଖି ମୁହଁ ଫେରାଇ ନେଉଛନ୍ତି । ଯେଉଁଠି ମଣିଷ ପ୍ରତି ଏମିତି ଭାବନା ସେଇଠି ପଶୁ ପକ୍ଷୀଙ୍କୁ କିଏ ବା ପଚାରେ ? କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଦୃଶ୍ୟ ଦେଖାଇବୁ ତାହା ଏହି କଥାର ସମ୍ପୂର୍ଣ୍ଣ ଭିନ୍ନ ।

ଦୁନିଆରେ ଏବେ ବି ବଞ୍ଚିଛି ମାନବିକତା । କେବଳ ମଣିଷ ପ୍ରତି ନୁହେଁ ପଶୁ, ପକ୍ଷୀ ପ୍ରତି ମଧ୍ୟ ମଣିଷର ମାନବିକତା ବଞ୍ଚି ରହିଛି । ଯେଉଁ ଦୃଶ୍ୟକୁ ଆପଣ ଆଖିରେ ଦେଖିଲେ ବିଶ୍ୱାସ କରିବେ। କିଛି ମାସ ତଳେ ପୁରୀ ବଡ଼ଦାଣ୍ଡର ବଲଗଣ୍ଡିରେ ଏକ ଛୁଆ ମାଙ୍କଡକୁ ମା କୋଳକୁ ଫେରାଇ ଆଣିଥିଲେ ସ୍ଥାନୀୟ ଯୁବକ । ଦତ୍ତତୋଟାରେ ଆଜି ଆମ ଭିଡିଓ ଗ୍ରାଫର ପ୍ରଦୀପ କୁମାର ପ୍ରଧାନଙ୍କ ନଜରରେ ପଡ଼ିଥିଲା ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲା ଏକ ମାଙ୍କଡ଼। ଯିଏ କି ଗତ କେତେଦିନ ତଳୁ କରେଣ୍ଟ ମାଡ଼ରେ ଆହତ ହୋଇ ତାର ଡାହାଣ ହାତ ଓ ବାମ ହାତ କ୍ଷତ ବିକ୍ଷତ ହୋଇଥିଲା।

ତାକୁ ଆମ ଭିଡ଼ିଓଗ୍ରାଫର ଅସହାୟ ଅବସ୍ଥାରେ ଦେଖି ବହୁତ ଅନୁଷ୍ଠାନକୁ କଲ କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା । ଶେଷରେ କିଛି ଉପାୟ ନପାଇ ନିଜେ ଅଖାରେ ଧରି ଜନୈକ ହୋଟେଲର ଷ୍ଟାଫ ଦୁର୍ଗା ମିଶ୍ରଙ୍କ ସ୍କୁଟି ଯୋଗେ ଜିଲ୍ଲା ପଶୁ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପହଞ୍ଚି ଉମ୍ମିଦ ଫାଉଣ୍ଡେନର କାର୍ଯ୍ୟକର୍ତ୍ତା ଦୀପକ ବେହେରାଙ୍କୁ କଲ କରିଥିଲେ। ଦୀପକଙ୍କ ଆସିବା ପରେ ଆହତ ମାନଙ୍କଡ଼ଟିକୁ ଚିକିତ୍ସା କରାଯାଇଥିଲା । ପଶୁ ଚିକିତ୍ସାଳୟରେ ରଖିବାର କୌଣସି ବ୍ୟବସ୍ଥା ନଥିବାରୁ ତାଙ୍କୁ ଆମ ଭିଡ଼ିଓଗ୍ରାଫର ଓ ଦୁର୍ଗା ମିଶ୍ର ନେଇ ପ୍ରଥମେ ତାଳବଣିଆ ସେଲଟର ନେଇଥିଲେ ।କିନ୍ତୁ ସେଠାରେ ରହିବାର କୌଣସି ସୁବିଧା ନଥିବାରୁ ପରେ ବନବିଭାଗର କାର୍ଯ୍ୟାଳୟରେ ନେଇ ହସ୍ତାନ୍ତର କରିଛନ୍ତି । ଏବେ ମାଙ୍କଡ଼ଟିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତେବେ ପ୍ରଦୀପ କୁମାର ପ୍ରଧାନଙ୍କ ଏପରି କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳରେ ଖୁସି ବ୍ୟକ୍ତ କରିବା ସହ ଚାରିଆଡ଼ୁ ପ୍ରଶଂସାର ସୁଅ ଛଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like