ବାଘ ଭୟରେ ଗାଁ ଲୋକଙ୍କ ହଜିଯାଇଛି ନିଦ, ବନ ବିଭାଗର ସ୍ବତନ୍ତ୍ର ଟିମ ଲୋକଙ୍କୁ କରୁଛନ୍ତି ସଚେତନ

ନୂଆପଡା : ନୂଆପଡା ଜିଲା ବୋଡେନ ବ୍ଲକ ଝରଣାମାଲ ଗାଁରେ ବାଘ ଆତଙ୍କ । ନିକଟସ୍ଥ ଜଙ୍ଗଲରୁ ଗୋଟିଏ କଳରାପତରିଆ ବାଘ ଝରଣାମାଲ ଗାଁରେ ପଶି ବଳଦ ଓ ଗୋଟିଏ ଛେଳି ମାରି ଖାଇଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାଘ ଭୟରେ ଗାଁଲୋକେ ଘରୁ ପଦାକୁ ବାହାରୁନଥିବା ବେଳେ ସନ୍ଧ୍ୟା ହେଲେ ତାଟି କବାଟ ପଡିଯାଉଛି ।
ତେଣେ ବନ ବିଭାଗର ଏକ ସ୍ଵତନ୍ତ୍ର ଟିମ ଗାଁରେ ପହଞ୍ଚି ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହିତ ପାଟ୍ରୋଲିଂ ଜୋରଦାର କରିଛନ୍ତି । ସୁଚନାନୁସାରେ କିଛି ମାସ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ ଦେଖାଯାଇଥିଲା । ୧୬ ନମ୍ବର ଜାତୀୟ ରାଜପଥରେ ବାଘ ରାସ୍ତା ଅତିକ୍ରମ କରୁଥିବାର ଦୃଶ୍ୟ କ୍ୟାମେରାରେ ଦେଖିବାକୁ ମିଳିଥିଲା ।
ବାଘର ପାଦ ଚିହ୍ନ ମଧ୍ୟ ଠାବ କରାଯାଇଥିଲା । ଏହା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଚିକିଟି ବ୍ଲକ ରାଧାମୋହନ ନିକଟ ପନାଡ଼ ଗାଁରେ କିଛିଦିନ ପୂର୍ବରୁ ବାଘ ବଳଦ ଖାଇଥିବା ବେଳେ ୪ଟି ଛେଳି ଖାଇଥିବା ଜଣାପଡିଥିଲା । ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା ।
Also read: ଗଞ୍ଜାମରେ ଥମୁନି ବାଘ ଆତଙ୍କ, ବଳଦ ପରେ ଛେଳିକୁ ଖାଇଲା ମହାବଳ