ଧ୍ୱଂସ ପାଇବାକୁ ବସିଲାଣି ଜଙ୍ଗଲ, ମୂଲ୍ୟବାନ ଗଛ ସବୁ ଅବାଧରେ କାଟି ଦିଆଯାଉଛି

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଏକଦା ଦିନେ ଓଡ଼ିଶାର ବନ ବିଭାଗ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଏବେ ଜଙ୍ଗଲ ମାଫିଆଙ୍କ ଲୋଲୁପଦୃଷ୍ଟି ଯୋଗୁଁ ଏବେ ଏହି ଜଙ୍ଗଲ ଧ୍ୱଂସ ପାଇବାକୁ ବସିଲାଣି । ବର୍ତ୍ତମାନ ରେଢ଼ାଖୋଲ ପଶ୍ଚିମ ଓଡ଼ିଶାର ମୁଖ୍ୟ ଦ୍ଵାର ଅଟେ । ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ଆସିବାକୁ ହେଲେ କଟକ – ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ ଦେଇ ଆସିବାକୁ ପଡିଥାଏ । ହେଲେ ରାତ୍ରି କାଳୀନ ବସ ହେଉ କିମ୍ବା ଅନ୍ୟ କୌଣସି ଯାନବାହାନ ଦେଇ ଯଦି କେହି ଆସୁ ଥାଏ, ରେଢ଼ାଖୋଲ ଜଙ୍ଗଲ ଆସିଲେ ସେମାନେ ଭୟ କରନ୍ତି । ରେଢ଼ାଖୋଲ ରାସ୍ତାର ବଣ ଜଙ୍ଗଲ ଦେଇ ଲୋକେ ଯିବା ଆସିବା ବେଳେ ଭୟର ବାତାବରଣ ସୃଷ୍ଟି ହୋଇଥାଏ । ହେଲେ ଏଭଳି ପ୍ରାକୃତିକ ଜଙ୍ଗଲ ସମ୍ପଦ ଥିବା ଏକ ଜଙ୍ଗଲରେ ବର୍ତ୍ତମାନ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ବନ ବିଭାଗର ସ୍ଥାଣୁତା ଯୋଗୁଁ ବହୁ ମୂଲ୍ୟବାନ ଗଛ ସବୁ ଅବାଧରେ କାଟି ଦିଆଯାଉଛି । ଫଳରେ ରେଢ଼ାଖୋଲ ଜଙ୍ଗଲ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ଏଭଳି ଏକ ଦୃଶ୍ୟ ରେଢ଼ାଖୋଲ ବନଖଣ୍ଡ ବୁରୋମାଳ ଗାଁ ନିକଟ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଦେଖାଯାଇଛି । ମାଫିଆମାନେ ମୂଲ୍ୟବାନ ଗଛ ସବୁ କଟର ମେସିନ ସାହାଯ୍ୟରେ କାଟି ନେଇଯାଇ ଥିବା ଦେଖିବାକୁ ମିଳିଛି । ଏନେଇ ରେଢ଼ାଖୋଲ ରେଞ୍ଜ ଅଧିକାରୀ ମୈତ୍ରୀ ମଞ୍ଜିତ ବିଶ୍ବାଳଙ୍କୁ ପଚରାଯିବାରୁ ଆମ ପାଖରେ କୌଣସି ସୂଚନା ନାହିଁ ବୋଲି କହିବା ସହ ଆମ ବିଭାଗର କର୍ମଚାରୀମାନଙ୍କୁ ପଠାଇ ତଦନ୍ତ କରିବୁ ବୋଲି ପ୍ରକାଶ କରିଥିଲେ । ଏଭଳି ସଂରକ୍ଷିତ ଜଙ୍ଗଲରୁ ମାଫିଆମାନେ ଅବାଧରେ ଗଛ କାଟି ନେବାରେ ସକ୍ଷମ ହୋଇଯାଉ ଥିବା ବେଳେ ବନ ବିଭାଗ ପାଖରେ କୌଣସି ସୂଚନା ନ ରହିବା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ପ୍ରାୟ ୪ ଦିନ ତଳେ ଜଙ୍ଗଲରୁ କଟା ଯାଇଥିବା ମୂଲ୍ୟବାନ ଗଛ ସବୁ ଏବେ ସେହି ସ୍ଥାନରୁ ଚାଲାଣ ହୋଇ ସାରିଲାଣି । ସରକାର ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ବନ ବିଭାଗ କାହିଁକି ନିରବତା ଅବଲମ୍ବନ କରୁଛି ତାହା କାହାକୁ ଜଣା ନାହିଁ । ରେଢ଼ାଖୋଲ ବନଖଣ୍ଡ ଅଧୀନରେ ନାକଟିଦେଉଳ, ଗିରିଶ୍ଚନ୍ଦ୍ରପୁର, ରେଢ଼ାଖୋଲ, ବଡବାହାଳ , ଚାରମାଳ ଓ ବଡ଼ମାଳ ରେଞ୍ଜ ରହିଥିବା ବେଳେ ୧୯ ସେକ୍ସନ ଓ ୬୧ ବିଟ ରହିଛି । ହେଲେ ରେଢ଼ାଖୋଲ ବନଖଣ୍ଡ ପ୍ରତି କାହାର ବି ନଜର ନାହିଁ । ଦିନକୁ ଦିନ ରେଢ଼ାଖୋଲ ଅଞ୍ଚଳରୁ ଜଙ୍ଗଲ ସମ୍ପଦ ଲୋପ ପାଇବାକୁ ବସିଛି । ଏ ଘଟଣାରେ ଦାୟିତ୍ବରେ ଥିବା ରେଢ଼ାଖୋଲ ଡିଏଫଓଙ୍କ ପ୍ରତିକ୍ରୀୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ବନ ବିଭାଗର ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।