ରାୟଗଡ଼ା : କଳାହାଣ୍ଡି ଜିଲ୍ଲା ଜାରିଂ ଫରେଷ୍ଟର ସଞ୍ଜୟ ନାୟକ ଜୀବନ ହାରିବା ଘଟଣାରେ DFOଙ୍କୁ ମାରାଥନ୍ ଜେରା । ଭବାନୀପାଟଣା ଟାଉନ ଥାନାରେ DFO ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ଧରି ଜେରା କରିଛି ପୋଲିସ । ଫରେଷ୍ଟରଙ୍କ ମୃତ୍ୟୁର ୧୭ ଦିନ ପରେ ଗତକାଲି ଥାନାରେ ହାଜର ହୋଇଥିଲେ ଡିଏଫଓ ଦେବେନ୍ଦ୍ର ବେହେରା ।
ସେପ୍ଟେମ୍ବର ୧୮ ତାରିଖରେ ଭବାନୀପାଟଣା ସ୍ଥିତ ଭଡ଼ା ଘରୁ ସଞ୍ଜୟଙ୍କୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଜୀବନ ହାରିବା ପୂର୍ବରୁ ସଞ୍ଜୟ ଗୋଟିଏ ଚିଠି ଛାଡ଼ି ଯାଇଥିଲେ । ସେଥିରେ ନର୍ସରୀରେ ଚାରା ପ୍ରସ୍ତୁତ ଓ ମଞ୍ଜି କିଣିବା ବାବଦରେ ୭ ଲକ୍ଷ ଟଙ୍କା ପିସି ମାଗିବା କଥା ଉଲ୍ଲେଖ କରିଥିଲେ । ସେହିପରି ଡିଏଫ୍ଓ ଦେବେନ୍ଦ୍ର ବେହେରା ତାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ ବୋଲି ସଞ୍ଜୟଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଫଳରେ ସଞ୍ଜୟ ନିଜ ଜୀବନ ହାରିଥିଲେ ।
ସେପଟେ ଏହି ଘଟଣା ପରେ ଡିଏଫ୍ଓ ଛୁଟିରେ ଚାଲି ଯାଇଥିଲେ । ୨୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ଦରଖାସ୍ତ ଦେଇଥିଲେ ସୁଦ୍ଧା କାର୍ଯ୍ୟରେ ଯୋଗ ଦେଇ ନଥିଲେ । ଏପରିକି ତାଙ୍କ ମୋବାଇଲ ନମ୍ବର ବନ୍ଦ ରହିଥିବାରୁ ଯୋଗାଯୋଗ ହୋଇପାରୁନଥିଲା । ଡିଏଫ୍ଓଙ୍କ ଛୁଟି ଅବଧି ସରିବା ପରେ କାର୍ଯ୍ୟରେ ଯୋଗ ଦେବା ସନ୍ଦେହ ବଢ଼ାଉଥିଲା ।