କେଶଡିହା ଫରେଷ୍ଟରଙ୍କୁ ମାଡ଼ ଅଭିଯୋଗ, ଥାନାରେ ଏତଲା

ଠାକୁରମୁଣ୍ଡା(କେନ୍ୟୁଜ) : ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଓ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କ ମାଡରେ କେଶଡିହା ଫରେଷ୍ଟର ଆହତ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ଅନ୍ୟପଟେ ମାଡ଼ ମାରିଥିବା ମହିଳା ଫରେଷ୍ଟ ଗାର୍ଡ ଅସଦାଚରଣ ନେଇ ଫରେଷ୍ଟରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ଜଣାଯାଇଛି ।

ଅଭିଯୋଗରୁ ଜଣାଯାଇଛି ଯେ ଗତକାଲି ସନ୍ଧ୍ୟାରେ ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟରେ। ଗତକାଲି ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ପରେ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟରେ ବନ କର୍ମଚାରୀଙ୍କର ଏକ ଭୋଜି ଭାତର ଆୟୋଜନ ହୋଇଥିଲା। ସେଠାରେ ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ ଫରେଷ୍ଟର ଭାସ୍କର ଘଣାଙ୍କୁ ଜାଇକା ପ୍ରକଳ୍ପର ଅଂଶଧନ ବାବଦରେ ଟଙ୍କା ମାଗିଥିଲେ। ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା ।

ରେଞ୍ଜ ଅଧିକାରୀ, ଫରେଷ୍ଟର ଭାସ୍କର ଘଣାଙ୍କୁ ନିଜ ଅଫିସରେ ଦେଖା କରିବାକୁ ନେଇ ଫୋନ କରିଥିଲେ। ଫୋନ ପାଇ ଫରେଷ୍ଟର ରେଞ୍ଜ ଅଫିସରେ ପହଞ୍ଚିବା ବେଳେ କିଛି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ହାତାହାତୀ ହୋଇଥିଲା । ଏଥିରେ ଫରେଷ୍ଟର ଆହତ ହୋଇ ଠାକୁରମୁଣ୍ଡା ଗୋଷ୍ଠୀ କେନ୍ଦ୍ରକୁ ସିଧା ଚାଲିଯାଇଥିଲେ। ଆଉ ଗତ ସନ୍ଧ୍ୟାରୁ ବର୍ତ୍ତମାନ ଯାଏ ସେ ମେଡ଼ିକାଲ ବେଡ଼ରେ ଚିକିତ୍ସିତ ହେଉଥିବା ଡାକ୍ତର ସୂଚନା ଦେଇଛନ୍ତି।

ଅନ୍ୟପଟେ ଫରେଷ୍ଟରଙ୍କ ମାଡ଼ମରା ଅଭିଯୋଗ ନେଇ ମହିଳା ଫରେଷ୍ଟ ଗାର୍ଡଙ୍କୁ ପଚାରିବାରୁ,ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ମଧ୍ୟ ଗତକାଲି ଠାକୁରମୁଣ୍ଡାରେ ହିଁ ନଥିବା ନେଇ ଫୋନ ଯୋଗେ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି ।

 

Leave A Reply

Your email address will not be published.