ସାମାଜିକ ବାସନ୍ଦ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଅଣ ଆଦିବାସୀଙ୍କୁ ବିବାହ କରିବାରୁ ୧୨ ବର୍ଷ ପାଇଁ ବାସନ୍ଦ

ସାମାଜିକ ବାସନ୍ଦ ହୋଇଛନ୍ତି ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ । ଅଣ ଆଦିବାସୀଙ୍କୁ ବିବାହ କରିବାରୁ ପ୍ରଦୀପ ଭତ୍ରା ସମାଜରୁ୧୨ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ଆଦିବାସୀ ଭତ୍ରା ସମାଜର କେନ୍ଦ୍ରୀୟ କମିଟିର ବୈଠକ ଧାମନାଗୁଡାରେ ହୋଇଥିଲା  ।  ଏଥିରେ ପ୍ରଦୀପଙ୍କ ବିବାହ ନେଇ ଆଲୋଚନା ହୋଇଥିଲା । ନିଜ ଜାତି ଛାଡି ଅନ୍ୟ ଜାତିରେ ବାହା ହୋଇଥିବାରୁ ପ୍ରଦୀପ ଓ ତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଜାତିରୁ ସାମାଜିକ ବାସନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବୁଧବାର ଗୋଆରେ ସୁଶ୍ରୀ ସଙ୍ଗିତା ସାହୁଙ୍କ ହାତ ଧରିଥିଲେ ପ୍ରଦୀପ । ପୂର୍ବରୁ ପ୍ରଦୀପଙ୍କ ଭଉଣୀ ବି ଅନ୍ୟ ଜାତିରେ ବାହା ହୋଇଛନ୍ତି । ପ୍ରଦୀପ ନିଜ ସମାଜ ପ୍ରତି ଘୃଣା ଭାବ ରଖିଥିବା କେନ୍ଦ୍ରୀୟ କମିଟି ସଦସ୍ୟ ଅଭିଯୋଗ କରିଛନ୍ତି ।  ଏନେଇ ପ୍ରଦୀପ ମାଝୀଙ୍କ ପ୍ରତିକ୍ରିୟା ମିଳିନାହିଁ ।