ରଥଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସୌଜନ୍ୟତା ଜିତିନେଲା ଲୋକଙ୍କ ହୃଦୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତ ଧରି ନେଇଗଲେ ମଞ୍ଚ ଉପରକୁ

କେନ୍ୟୁଜ(ବ୍ୟୁରୋ) : ରାଜନୀତିର ପଶା-ପାଲିରେ ଯେତେ ବିରୋଧଭାବ ଥିଲେ ମଧ୍ୟ ବାସ୍ତବିକ ଜୀବନରେ ସହୃଦୟତା ଓ ସୌଜନ୍ୟତା ଏକ ମହାନ ଗୁଣ । ଯାହା ଆଜି ଦେଖିବାକୁ ମିଳିଥିଲା ପୁରୀ ରଥଯାତ୍ରାରେ । ଦୀର୍ଘ ୨୫ ବର୍ଷ ଧରି ଓଡିଶା ଶାସନରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିରୋଧୀ ଦଳ ନେତା । ହେଲେ ତାଙ୍କର ନିର୍ମଳ ଭାବମୂର୍ତ୍ତି ଓ ଭଲ ବ୍ୟବହାର ପାଇଁ ସେ ସର୍ବଦା ସମସ୍ତଙ୍କ ପାଖରେ ପ୍ରଶଂସିତ । ସେଥିପାଇଁ ବୋଧହୁଏ ତାଙ୍କ ପ୍ରତି ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ଭଲ ପାଇବା ଅତୁଟ ରହିଛି । ଆଜି ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ରଥଯାତ୍ରାରେ ।
ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ମଞ୍ଚ ଉପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେ ଓ ପ୍ରଭାତି ପରିଡା ବସିଥିଲେ । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମଞ୍ଚ ତଳେ ଥିଲେ । ହେଲେ ନବୀନ ମଞ୍ଚ ନିକଟକୁ ଆସି ମଞ୍ଚ ଉପରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନମସ୍କାର କରିଥିଲେ । ବଡ଼ କଥା ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦୀର୍ଘ ୨୫ ବର୍ଷର ଶାସନକାଳ ମଧ୍ୟରେ ପ୍ରତିଥର ମଞ୍ଚ ଉପରେ ବସି ରଥଯାତ୍ରା ଦେଖୁଥିଲେ ମଧ୍ୟ ଚଳିତ ବର୍ଷ ଶାସନ ଗାଦିରେ ନଥିବାରୁ ମଞ୍ଚ ଉପରକୁ ଯାଇ ନଥିଲେ ।
ମଞ୍ଚ ତଳେ ରହି ମଞ୍ଚ ଉପରେ ବସିଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନମସ୍କାର କରିଥିଲେ । ୨୫ ବର୍ଷ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ନବୀନ ତାଙ୍କର ପଦ ମର୍ଯ୍ୟାଦା ଓ ଶିଷ୍ଟାଚାରକୁ ଭୂଲି ଯାଇନଥିଲେ । ଏହି ସମୟରେ ମଞ୍ଚ ଉପରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନଜର ବିଜେଡି ସୁପ୍ରିମୋ ନବୀନଙ୍କ ଉପରେ ପଡିଥିଲା ଓ ସେ ତତ୍କ୍ଷଣାତ୍ ମଞ୍ଚ ତଳକୁ ଆସି ନବୀନଙ୍କୁ ମଞ୍ଚ ଉପରକୁ ଯିବାକୁ ଅନୁରୋଧ କରିଥିଲେ । ଖାଲି ସେତିକି ନୁହେଁ ନବୀନଙ୍କ ହାତ ଧରି ମଞ୍ଚ ଉପରକୁ ପାଛୋଟି ନେଇଥିଲେ ଏବଂ ତାଙ୍କୁ ରାଜ୍ୟପାଳ ଓ ନିଜ ମଝିରେ ବସିବାକୁ ଆସନ ଦେଇଥିଲେ ।
ଉଭୟ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରେ ହୁଏତ ପ୍ରତିପକ୍ଷ ହୋଇ ପାରିଥାନ୍ତି, ହେଲେ ଆଜି ସମସ୍ତ ଦଳ ମତ ନିର୍ବିଶେଷରେ ଧର୍ମେନ୍ଦ୍ର ମଞ୍ଚ ଉପରକୁ ନବୀନଙ୍କୁ ପାଛୋଟି ନେଇ ତାଙ୍କର ମହାନତା ଓ ସୌଜନ୍ୟତାର ପରିଚୟ ଦେଇଛନ୍ତି । ଯାହାକୁ ଉପସ୍ଥିତ ଥିବା ହଜାର ହଜାର ଲୋକେ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ଉଭୟ ନେତାଙ୍କର ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଜନତାଙ୍କ ମନ କିଣି ନେଇଥିବା ବେଳେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।