କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହ ୫ ଜଣଙ୍କ ବିରୋଧରେ ଆଜି ଦଣ୍ଡବିଧାନ କରିବେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡବିଧାନ କରିବେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ତାଙ୍କ ସମେତ ୫ ଜଣଙ୍କ ବିରୋଧରେ ଦଣ୍ଡ ଶୁଣାଣି ରହିଛି । ଗତ ୧୪ ତାରିଖରେ ଦଣ୍ଡବିଧାନ ଶୁଣାଣିକୁ ଆଜି ଯାଏଁ ଘୁଞ୍ଚାଇ ଦେଇଥିଲେ କୋର୍ଟ । ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ ଜଷ୍ଟିସ ଭାରତ ପରାସର ।

ଅନ୍ୟ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ । ସେହିପରି କାଷ୍ଟ୍ରନ ଟେକ୍ନୋଲୋଜି ଲିମିଟେଡ୍‌ର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଓ କାଷ୍ଟ୍ରନ ମାଇନିଂ ଲିମିଟେଡ ବା CML ଦୋଷୀ ପ୍ରମାଣିତ ହୋଇଛନ୍ତି । ୧୯୯୯ରେ କାଷ୍ଟ୍ରନ୍‌ ଟେକ୍ନୋଲୋଜିକୁ ଝାଡ଼ଖଣ୍ଡର ବ୍ରହ୍ମଡିହା କୋଲ ବ୍ଲକ୍‌ ଦେବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.