ଚାନ୍ଦବାଲି : ଦୁଇଟା ସ୍କୁଲ୍ , ଗୋଟିଏ ଅଙ୍ଗନବାଡ଼ି । ବିବାଦୀୟ ଘଟଣାକୁ ନେଇ ସ୍କୁଲ୍ ଅଙ୍ଗନବାଡ଼ି ମୁଖ୍ୟ ଫାଟକରେ ପଡ଼ିଛି ତାଲା । ଦୁଇ ଦିନ ଧରି ସ୍କୁଲରେ ତାଲା ପଡ଼ିଥିବାରୁ ପାଠ ନପଢ଼ି ପାରି ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ l ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାରେଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଗ୍ରାମବାସୀଙ୍କ ଭିତରେ ଥିବା ଏକ ବିବାଦୀୟ ଘଟଣାକୁ କେନ୍ଦ୍ରକରି ଦୁଇ ଦିନ ହେଲା ସ୍କୁଲ ମୁଖ୍ୟ ଗେଟ ରେ ତାଲା ପକାଇଛନ୍ତି ଗ୍ରାମବାସୀ । ଏହି କାରଣରୁ ଦୁଇ ଦିନ ହେଲା ପାଠ ପଢା ନଯାଇ ବନ୍ଦ ରହିଛି ଦୁଇଟି ସ୍କୁଲ ଓ ଗୋଟେ ଅଙ୍ଗନବାଡି କେନ୍ଦ୍ର। ଚାନ୍ଦବାଲି ବ୍ଲକର ପାରେଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହ ସତ୍ୟ ନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଚମ୍ପାସାହି ପାରେଡ଼ିଆ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି।
ଗ୍ରାମବାସୀଙ୍କ ଅଭିଯୋଗ ଯେ, ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ ଅଧୀନ ପାରଡିଆ ସରକାରୀ ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହୁରି ସେ ଦୁଇ ତିନି ମାସ ତଳେ ସ୍କୁଲର ପାଚିକା ସହ ଖରାପ କାମରେ ଲିପ୍ତ ଥିବା ବେଳେ ଧରା ପଡ଼ିଥିଲେ । ଏକଥା ଜଣା ପଡିବା ପରେ ଗ୍ରାମବାସୀଙ୍କ ଗୋଡହାତ ତଳେ ପଡି ନିଜ ଅପକର୍ମକୁ ଲୁଚାଇବା ପାଇଁ ପ୍ରଧାନ ଶିକ୍ଷକ ଉଦ୍ୟମ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ମଠଡିହ କ୍ଲଷ୍ଟରର କେତେକ ଶିକ୍ଷକଙ୍କ ଉପସ୍ଥିତିରେ ଏକ ଫଇସାଲା ହୋଇଥିଲା ।
ଉକ୍ତ ଫଇସାଲା ଅନୁସାରେ ସେହି ପ୍ରଧାନ ଶିକ୍ଷକ ୬ ମାସ ମଧ୍ୟରେ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ହୋଇ ଚାଲିଯିବେ ବୋଲି ନିଷ୍ପତ୍ତି ହୋଇଥିଲା । ଏବେ ସର୍ତ୍ତ ଅବଧି ପୂରି ଯାଇଥିଲେ ବି ସେହି ଶିକ୍ଷକ ଅନ୍ୟତ୍ର ଯିବାକୁ ନାରାଜ ହେବାରୁ ଗ୍ରାମବାସୀ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ, ତତ୍କାଳୀନ ଆଞ୍ଚଳିକ ସାଧନ କର୍ମୀ ଓ ମଧ୍ୟସ୍ଥତା କରିଥିବା ଶିକ୍ଷକ ମାନଙ୍କୁ ଶୁକ୍ରବାର ଜଣାଇଥିଲେ । ହେଲେ ସେମାନେ କିଛି ନକରିବାରୁ ଅନ୍ୟ ଉପାୟ ନପାଇ ଶନିବାର ସକାଳୁ ତାଲା ପକାଇ ଥିଲେ। ଦୁଇ ଦିନ ସ୍କୁଲ ବନ୍ଦ ହେବା ପରେ ଆଜି ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ପହଁଞ୍ଚି ଉକ୍ତ ପ୍ରଧାନ ଶିକ୍ଷକଙ୍କର ଅନ୍ୟତ୍ର ବଦଳି ହୋଇଥିବା କଥା କହି ସ୍କୁଲ ଗେଟ ରୁ ତାଲା ଫିଟାଇଥିଲେ। ହେଲେ ସ୍କୁଲ ଚାଲି ନଥିଲା ।