ପ୍ରଗତିବାଦୀର ପ୍ରତିଷ୍ଠା ଦିବସ, ଉଦଘାଟନ କଲେ ଡ. ଅରୁନ୍ଧତୀ ଦେବୀ

ଭୁବନେଶ୍ୱର : ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ପ୍ରଗତିବାଦୀ ମୁଖ୍ୟାଳୟ ପରିସରରେ ପ୍ରଗତିବାଦୀ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଅଶୋଭନିୟତା ନିରୋଧ ଆନ୍ଦୋଳନର ନିର୍ଦ୍ଦେଶିକା ଓ ସମ୍ପାଦିକା ଡ. ଅରୁନ୍ଧତୀ ଦେବୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଜନେତା ଡ.ଅରୁଣ ସାହୁ, ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ସାହିତ୍ୟ ଏକାଡେମୀ ସଚିବ ଡ. ଚନ୍ଦ୍ରଶେଖର ହୋତା ଯୋଗଦେଇଥିଲେ ।
ଔପନ୍ୟାସିକ ତଥା ଅନୁବାଦକ ରାଧୁ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷାବିତ ଓ ପ୍ରାବନ୍ଧିକ ଅଧ୍ୟାପକ ବିଶ୍ୱ ରଞ୍ଜନ ଏଥିରେ ସଭାପତିତ୍ୱ କରିଥିବା ବେଳେ ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଦୈନିକ ପ୍ରଗତିବାଦୀ ଆତ୍ମପ୍ରକାଶର ଏହି ଦିବସ ‘ମଇ ପହିଲା’କୁ ପାଠକ, ଲେଖକ, କବି, ସାହିତ୍ୟିକ, ସାମ୍ବାଦିକ, ବିତରକ ଓ ଶୁଭେଚ୍ଛୁଙ୍କୁ ସମର୍ପିତ କରିଛି । ପ୍ରତିଷ୍ଠା ଦିବସର ପାଳନ ଅବସରରେ ପ୍ରଗତିବାଦୀ ପରିସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏକ ସାରସ୍ବତ ଉତ୍ସବର ଆୟୋଜନ କରାଯାଇଥିଲା ।
ଯେଉଁଥିରେ କବିତା ପାଠ, ସାହିତ୍ୟ ଚର୍ଚ୍ଚା, ପୁସ୍ତକ ଉନ୍ମୋଚନ ଓ ସାରସ୍ବତ ସ୍ରଷ୍ଟାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ନିର୍ଭିକ- ନିରପେକ୍ଷ ଓ ମୂଲ୍ୟବୋଧ ଭିଭିକ ସମ୍ବାଦ ପ୍ରକାଶ କରିବା ତଥା ଜନଗଣଙ୍କ ସ୍ବର ହେବାର ସଂକଳ୍ପ ନେଇ ‘ପ୍ରଗତିବାଦୀ’ ୧୯୭୩ ମସିହା ଜାନୁଆରୀ ୨୬ ତାରିଖରେ ସାପ୍ତାହିକ ଭାବରେ ଆତ୍ମପ୍ରକାଶ କରିଥିଲା । ୧୯୭୯ ମସିହା ମଇ ପହିଲାରେ ଦୈନିକ ଭାବରେ ‘ପ୍ରଗତିବାଦୀ’ ପ୍ରଥମ ପ୍ରକାଶନ ଆରମ୍ଭ କଲା ଓ ନିରବଚ୍ଛିନ୍ନ ଭାବରେ ଆଗକୁ ବଢ଼ି ଚାଲିଛି ବୋଲି ପ୍ରଗତିବାଦୀର ଅଧକ୍ଷା ଶାଶ୍ୱତୀ ବଳ କହିଛନ୍ତି ।