ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪ ଜଣ ହେଉଛନ୍ତି ଋଷି, ଶୁଭମ୍‌, ବଣ୍ଟି ଓ ଦେବରାଜ୍‌ । ଚାରି ଜଣ ସୋଙ୍ଗ କେତେ ଖୁସିରେ ଏକ ଜନ୍ମ ବାର୍ଷିକୀରେ ଭୋଜି ଖାଇ ଘରକୁ ଫେରୁଥିଲେ । ସେତେବେଳକୁ ରାତି ପ୍ରାୟ ୧୨ଟା ପାଖାପାଖି ହେଲାଣି । ସେମାନେ ସମସ୍ତେ ଏକ କାରରେ ମଜା ମସ୍ତି କରି ଘରକୁ ଫେରୁଥିଲେ । ହେଲେ ବାଟରେ ସେମାନଙ୍କ ସହ କିଛି ଏମିତି ଘଟିଗଲା ଯେ ସେମାନଙ୍କ କଥା ତ ଛାଡନ୍ତୁ ଗାଡିର ଚିହ୍ନବର୍ଣ୍ଣ ବି ରହିଲାନି ।

ଦେଖନ୍ତୁ କେମିତି ଖଣ୍ଡ ବିଖଣ୍ଡିତ ହୋଇଯାଇଛି କାର । କାଚ ଗ୍ଲାସ କିମ୍ବା କାଚର କେଉଁ ଜିନିଷ ଭାଙ୍ଗିଗଲେ ଯେମିତି ଚୁରମାର ହେଇଯାଏ । ଠିକ ସେମିତି ଅବସ୍ଥା ହୋଇଛି ଏହି କାରର । ଆପଣ ନିଜେ ଦେଖନ୍ତୁ ଏ କାରର ଚିତ୍ରକୁ । ଆଗ କେଉଁଟା ପଛ କେଉଁଟା କିଛି ଆଉ ନାହିଁ । ଏଥିରୁ ଆପଣ ଅନୁମାନ ଲଗାଇ ପାରୁଥିବେ ଯେ ଏହା ଭିତରେ ବସିଥିବା ସେହି ୪ ଜଣଙ୍କ ଅବସ୍ଥା କଣ ହୋଇଥିବ ।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗାଁ ନିକଟରେ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପରର ସ୍ଥିତିକୁ ଯିଏ ଦେଖୁଛି, ତାଙ୍କ ଲୋମ ଟାଙ୍କୁରୀ ଉଠୁଛି । ଦେଖନ୍ତୁ କାର ସହ ଧକ୍କା ହୋଇଥିବା ଟ୍ରାକ୍ଟରକୁ । ତାର ତ ଚକା ଦୁଇଟି ବାହାରି ଆସି ରାସ୍ତା ଉପରେ ପଡିଛି । ଦୁଃଖର ବିଷୟରେ ହେଉଛି ଏ ଭୟଙ୍କର ଦୁର୍ଘଟଣାରେ ଭୋଜି ଖାଇ ଫେରୁଥିବା ୪ ଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଛି।

ସେମାନେ ସମସ୍ତେ ହେଉଛନ୍ତି ଖଡ଼ିଆଳ ସହରର ଋଷି ସାହୁ, ଶୁଭମ ମହାଉତି, ବଣ୍ଟି ଲାଲ ସିଂହ ଓ ଗୋଇମୁଣ୍ଡା ଗ୍ରାମର ଦେବରାଜ ପଟେଲେ। ଏହି ୪ ସାଙ୍ଗ ଗତକାଲି ରାତିରେ କାର ଯୋଗେ ତୁକୁଳା ଗାଁକୁ ଏକ ଜନ୍ମବାର୍ଷିକୀ ଭୋଜି ଖାଇବାକୁ ଯାଇଥିଲେ । ରାତି ପ୍ରାୟ ୧୨ଟା ବେଳେ ସେମାନେ ଖଡ଼ିଆଳ ଅଭିମୁଖେ ଫେରୁଥିବା ବେଳେ ଲଛିପୁର ଗାଁ ନିକଟରେ ଏକ ଟ୍ରାକ୍ଟରର ପଛପଟକୁ ସେମାନଙ୍କର କାର ଧକ୍କା ଦେଇଥିଲା । ଏହା ପରେ ପରେ ଉକ୍ତ ରାସ୍ତା ଦେଇ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା । କୁହାଯାଉଛି ଯେ ଏଥିରେ କାରରେ ଥିବା ୪ ଜଣ ସାଙ୍ଗ ମୃତ୍ୟୁବରଣ କରିଥିବାବେଳେ ଟ୍ରାକ୍ଟରରେ ଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ଅଛନ୍ତି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ପ୍ରଥମେ ଖଡିଆଳ ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ନୂଆପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି ।

ତେବେ କହି ରଖିବାକୁ ଚାହିଁବୁ ଯେ ଟ୍ରକ୍‌ ଚାଳକ ଫେରାର ରହିଛି । ଟ୍ରାକ୍ଟରର ଡାଲାର ଦୁଇ ପଛ ଚକ ବାହାରି ଯାଇଥିବା ବେଳେ କାରଟି ଚୁରମାର ହୋଇଯାଇଛି । ଖବର ପାଇ ଖଡ଼ିଆଳ ପୁଲିସ ସହିତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଚାରି ଯୁବକଙ୍କ ମୃତଦେହକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସେମାନଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଯିବା ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି । ପୁଲିସ ଘଟଣାର ତଦନ୍ତ କରୁଛି। କିନ୍ତୁ ଏ ଚିତ୍ରକୁ ଦେଖି ପରିବାର ଲୋକଙ୍କ ଆଖିରେ ଲୁହ ରହୁନି । ସମେସ୍ତ ଯୁବକ । ଏତେ କମ୍‌ ବୟସରେ ଏମିତି ଅକସ୍ମାତ୍‌ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ ।

 

You might also like