ପୁଅ ନଥିଲେ କଣ ହେଲା, ବାପାଙ୍କ ଶବ ସଂସ୍କାର କଲେ ୪ ଦିବ୍ଯାଙ୍ଗ ଝିଅ

ବାଲେଶ୍ବର(କେନ୍ଯୁଜ୍): ସଂସାରରେ ଜନ୍ମ ହେଇଛ ତ ମୃତ୍ୟୁ ସୁନିଶ୍ଚିତ। କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ତେଣୁ ଦୁନିଆଁରେ କିଛି ବି ମିଛ ହୋଇ ପାରେ ହେଲେ ମୃତ୍ୟୁ ନୁହେଁ । ଅବଶ୍ୟ ଆମେ ଏଠି ମୃତ୍ୟୁକୁ ନେଇ ନୁହେଁ ମୃତ୍ୟୁ ପରର କଥା କହିବାକୁ ଯାଉଛୁ । ଯେଉଁଠି ମୃତ୍ୟୁ ପରେ ଶବ ସଂସ୍କାର ପାଇଁ ପୁଅ ହୋଇ ସବୁ ନୀତି ସଂପନ୍ନ କରିଛନ୍ତି ୪ ଦିବ୍ଯାଙ୍ଗ ଝିଅ ।

ଛଅ ମାସ ତଳେ ମା’ ଛେଉଣ୍ଡ ହୋଇଥିଲେ, ଆଉ ଏବେ ବାପା ସମସ୍ତଙ୍କୁ ପର କରି ଚାଲିଗଲେ। ଜନ୍ମରୁ ବାପା-ମା’ଙ୍କ ଉପରେ ର୍ନିଭରଶୀଳ ଥିବା ୪ ଅସହାୟ ଦିବ୍ଯାଙ୍ଗ ଝିଅ ଶେଷରେ ବାପାଙ୍କ ଶବ ସଂସ୍କାର ପାଇଁ କୋକେଇରେ କାନ୍ଧ ଦେଇଛନ୍ତି । ସାମାଜିକ ବିଧିବିଧାନ ଅନୁସାରେ ଦିବଂଗତ ବାପାଙ୍କର ପାର୍ଥିବ ଶରୀରକୁ କାନ୍ଧରେ ବୋହି ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ କରିଛନ୍ତି ୪ ଦିବ୍ଯାଙ୍ଗ ଝିଅ ।

ବାର୍ଦ୍ଧକ୍ଯଜନିତ ଅସୁସ୍ଥତା କାରଣରୁ ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ନିଜାମପୁର ପଞ୍ଚାୟତ ଅନ୍ତର୍ଗତ ଦୁମୁଦା ଗ୍ରାମର ବାଇଧର ଜେନା (୭୫)ଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଥିଲା। ବାଇଧରଙ୍କ ୪ ଦିବ୍ଯାଙ୍ଗ ଝିଅ ଅବନ୍ତୀ, ସୁକାନ୍ତି, ବାସନ୍ତୀ ଓ ଜୟନ୍ତୀ ସମସ୍ତେ ଜନ୍ମରୁ ମୂକ ଓ ବଧିର। ସେଥିପାଇଁ କେହି ବାହା ମଧ୍ୟ ହୋଇ ପାରିନାହାନ୍ତି। ଚାଷରୁ ପେଟ ପୁରୁନଥିଲେ ମଧ୍ୟ ଗରିବ ବାଇଧର ୪ ଦିବ୍ଯାଙ୍ଗ ଝିଅଙ୍କୁ ପାଖରେ ରଖି ଦୁଃଖକଷ୍ଟରେ ପରିବାର ଚଳାଉଥିଲେ।

ହେଲେ ତାଙ୍କର ପରଲୋକ ପରେ ଏବେ ଚାରି ମୁକ ଓ ବଧିର ଝିଅ ଏବେ ଅସହାୟ ହୋଇ ପଡିଛନ୍ତି । କିଛି ବର୍ଷ ତଳେ ପକ୍ଷାଘାତ ରୋଗରେ ପଡ଼ି ବାଇଧର ଶଯ୍ଯାଶାୟୀ ହେବା ପରେ ପତ୍ନୀ ହାରମଣି ଛେଳି ପାଳନ କରି ପରିବାର ବୋଝ ମୁଣ୍ଡେଇଥିଲେ। କିନ୍ତୁ ୬ ମାସ ପୂର୍ବରୁ ତାଙ୍କର ଦେହାନ୍ତ ଘଟିବା ପରେ ୪ ଭଉଣୀ ଏକପ୍ରକାର ଅସହାୟ ହୋଇ ପଡ଼ିଥିବା ବେଳେ ଏବେ ଦୁଃଖର ଭାର ଦ୍ବିଗୁଣିତ ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.