ରାଜ୍ୟ ବାହାରେ ବନ୍ଧା ପଡିଛନ୍ତି ୪ ଶ୍ରମିକ, ବନ୍ଧକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନର ଦ୍ୱାରସ୍ତ ପରିବାର

ପେଟ ପାଇଁ ସବୁ ନାଟ । ଦାନା ଦି ମୁଠା ପାଇଁ ଗରିବମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ସତ । କିନ୍ତୁ ବେଳେବେଳେ ପରିସ୍ଥିତି ଏପରି ହୋଇପଡ଼େ ଯେ ନା ସେମାନେ ଘରକୁ ଫେରି ପାରନ୍ତି ନା ସେଠାରେ ରହି ଖଟି ପାରନ୍ତି । ଦାଦନ ସର୍ଦ୍ଦାରର ଜୁଲମ ଆଗରେ ହାର ମାନି ନିଅନ୍ତି ଗରିବ ଖଟିଖିଆ । ଦିନକୁ ଦିନ ବଢ଼ି ଚାଲିଛି ଦାଦନ ଦୁଃଖ । ଦାଦନ ଯାଇ କାହାର ମୃତଦେହ ଫେରୁଛି ତ କିଏ ରୋଗୀ ହୋଇ ଫେରୁଛି । କିଛି ଲୋକ ଟଙ୍କା ପାଇଁ ବନ୍ଧା ପଡୁଛନ୍ତି । ପୁଣି ପାଟଣାଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଦାଦନ ଦୁଃଖ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଧାତୁକ ଗାଁର ମାର୍ଗଶିର ବାଗ  ଗତ ଡିସେମ୍ବର ମାସରେ ରାୟଖାଲର ଦାଦନ ସର୍ଦ୍ଦାର ଶ୍ରୀରାମ ବାଗଙ୍କ ସହିତ ବିଜୟନଗରମ ଅଞ୍ଚଳକୁ ଇଟା ଗଢିବା ପାଇଁ ଯାଇଥିଲେ । ସେଠାରେ କିଛିଦିନ କାମ କରିବା ପରେ ମାର୍ଗଶିରଙ୍କ ସ୍ତ୍ରୀଙ୍କ ଦେହ ଖରାପ ହୋଇଥିଲା । ଇଟାଭାଟି ମାଲିକ ଚିକିତ୍ସା ନକରାଇବାରୁ ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଲା ।  ଘରକୁ ଯିବାପାଇଁ କହିବାରୁ ମାଲିକ ଚାରିଜଣଙ୍କୁ ବନ୍ଧକ ରଖି ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କୁ ଘରକୁ ଛାଡ଼ିଥିଲା । ଘରକୁ ଆସିବା ପରେ ମଧ୍ୟ ସ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ।

ଅନ୍ୟପଟେ ଦାଦନ ସର୍ଦ୍ଦାର ବାରମ୍ବାର ଘରକୁ ଆସି ପୁଣି ଇଟାଭାଟିକୁ ଯିବା ପାଇଁ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ଗରିବ ପରିବାର । ଇଟାଭାଟିରେ ଛୋଟ ଛୋଟ ଝିଅ ସହିତ ଅନ୍ୟମାନଙ୍କୁ କାମ କରାଉଥିବା ଖବର ପାଇବା ପରେ ମାର୍ଗଶିର ଭାଙ୍ଗି ପଡିଛନ୍ତି । ଛୋଟ ପିଲାଙ୍କୁ କାମ ନକରାଇବା ପାଇଁ ଅନୁରୋଧ କରିବାରୁ ଲକ୍ଷେ ଟଙ୍କା ଫେରାଅ ନ ହେଲେ ସେମାନେ ସେଠାରେ କାମ କରିବେ ବୋଲି ଦାଦନ ସର୍ଦ୍ଦାର ଧମକ ଦେଇଛି । ତୁମେ ଟଙ୍କା ଫେରାଇଲେ ସେମାନେ ଆସିବେ ବୋଲି କହିଛି ଦାଦଦ ସର୍ଦ୍ଦାର । ଅନ୍ୟ ଉପାୟ ନପାଇ ବ୍ଲକ ଲେବର ଅଫିସରଙ୍କ ନିକଟରେ ବନ୍ଧା ପଡ଼ିଥିବା ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ମାର୍ଗଶିର ।

ପେଟ ପାଟଣା ସହ ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ ବାହାର ରାଜ୍ୟକୁ ଦାଦନ ଖଟିବାକୁ । ହେଲେ ଏବେ ରାଜ୍ୟ ବାହାରେ ବନ୍ଧା ପଡ଼ିଛନ୍ତି ୪ ଦାଦନ ଶ୍ରମିକ । ଗାଁକୁ ସମସ୍ତେ କେବେ ଫେରିବେ ତାକୁ ହିଁ ଏବେ ପରିବାର ଲୋକଙ୍କ ଅପେକ୍ଷା ।

Also Read: ଦାଦନ ଖଟିବାକୁ ଯାଇଥିଲେ ତେଲେଙ୍ଗାନା, ଫେରିଲା ମହିଳାଙ୍କ ମୃତଦେହ