ଗିରଫ ହେଲା ରସିକିଆ ପ୍ରେମିକ, ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲା ଟଙ୍କା

ଟିକେ ଭଲ କରି ଦେଖନ୍ତୁ ଏ ଯୁବକଙ୍କୁ । ଦେଖିବାକୁ ବେଶ୍‌ ହ୍ୟାଣ୍ଡସମ୍‌ ଦେଖାଯାଉଛନ୍ତି । ଦେଖିଲେ ଭଲ ଖାନଦାନର ଯୁବକଟିଏ ଭଳି ବି ଜଣାପଡୁଛନ୍ତି । ମଡେଲିଂ କିମ୍ବା ଫିଲ୍ମରେ ଯାଇଥିଲେ ହିରୋ ହୋଇଥାନ୍ତେ ନିଶ୍ଚୟ । ହେଲେ ତାଙ୍କ କାରନାମା ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଠକିବା ପାଇଁ ୟାଙ୍କ ଟାର୍ଗେଟରେ ଥିଲେ ଯୁବତୀ । ପ୍ରଥମେ ସୋସିଆଲ ମିଡିଆରେ ସୁନ୍ଦରୀ ଖୋଜା । ପରେ ଫ୍ରେଣ୍ଡ୍ ରିକୁଏଷ୍ଟ୍ । ଆଉ କିଛି ଦିନ ପରେ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ୍ ।

ହଁ ଆଜ୍ଞା, ହ୍ୟାଣ୍ଡସମ୍‌ ଦେଖାଯାଉଥିବା ଏ ଯୁବକଜଣକ ନିଜ ସୁନ୍ଦରତା ଜାଲରେ କେତେ ଯେ ଯୁବତୀଙ୍କୁ ଫସାଇଛି ତାହା କହିବା ମୁସ୍କିଲ । ଏ ରସିକିଆ ପ୍ରେମିକ ଜଣକ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଗାଁର ତ୍ରୈଲୋକ୍ୟ ରଞ୍ଜନ ପାତ୍ର । ଜଣେ କି ଦୁଇ ଜଣ ନୁହେଁ, ଶତାଧିକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଠକିଥିଲେ ଲକ୍ଷାଧିକ ଟଙ୍କା । ପ୍ରଥମେ ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କ ସୃଷ୍ଟି କରୁଥିଲେ ପରେ ଲକ୍ଷାଧିକ ଟଙ୍କା ଠକେଇ କରି ଚମ୍ପଟ ମାରୁଥିଲେ ।

ଫେସବୁକ, ଇନଷ୍ଟାଗ୍ରାମ ଆଦି ବିଭିନ୍ନ ସୋସିଆଲ ମିଡ଼ିଆରେ ଏହି ରସିକିଆ ଠକ ପ୍ରେମିକ ଜଣକ ଅଜଣା ଯୁବତୀଙ୍କ ସହ ବନ୍ଧୁତା ସୃଷ୍ଟି କରୁଥିଲେ । କିଛି ଦିନ କଥା ହେବା ପରେ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲେ । ପରେ ଯୁବତୀଙ୍କୁ ମିଛ ପ୍ରେମ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ହଡପ କରୁଥିଲା । କିଛି ବର୍ଷ ହେବ ସେ ଏହି କାମ କରୁଥିଲେ । କିନ୍ତୁ କଥାରେ ଅଛି ନା ଚୋର ଘର ସବୁବେଳେ ଅନ୍ଧାର ନୁହେଁ । ସେହିଭଳି ଏବେ ପର୍ଦ୍ଦାଫାସ ହେଇଛି ଏହି ରସିକିଆ ପ୍ରେମିକର କଳା କାରନାମା ।

ବାରିପଦା ମଧୁବନ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଏହିପରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବାର ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପୁଲିସ୍ ତଦନ୍ତ କରି ପୁରୀ ଜିଲ୍ଲାର ବାସେଲିସାହି ଥାନା ଅନ୍ତର୍ଗତ ହାତୀସାହି ଅଞ୍ଚଳରୁ ଗିରଫ କରିଛି । ସତରେ ମାନିବାକୁ ପଡିବ ଏଭଳି ମହାଠକଙ୍କୁ । କିଭଳି ଚାଲ୍ କରି ଫସାଉଥିଲା ଯୁବତୀମାନଙ୍କୁ । ତେବେ ତଦନ୍ତ ସମୟରେ ଶତାଧିକ ମହିଳାଙ୍କ ସହ ପ୍ରେମ କରି ଟଙ୍କା ଠକେଇ କରିଥିବାର ଜଣାପଡିଛି । ଆଉ ଶେଷରେ ପୁଲିସ୍ ହାତରେ ଅଭିଯୁକ୍ତ ଠକ ପ୍ରେମିକ ଧରାପଡିଛି । ଠକ ପ୍ରେମିକଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।