ୟୁଜର୍ସ ଫି ଆଦାୟରେ ପୌର ପରିଷଦ କର୍ମଚାରୀଙ୍କ ମହାଠକେଇ, ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ତଦନ୍ତ ପ୍ରକ୍ରିୟା

ୟୁଜର୍ସ ଫି ଆଦାୟରେ ବଡ ଧରଣର ହେରଫେର । ଲୋକଙ୍କ ଠାରୁ ଟଙ୍କା ନେଇ ପକେଟ ଗରମ କରୁଛନ୍ତି ସରକାରୀ ଅଧିକାରୀ । ୟୁଜର୍ସ ଫି ବିଷୟରେ ତ ଆପଣମାନେ ଜାଣିଥିବେ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଜନ ସାଧାରଣଙ୍କ ଠାରୁ ଟଙ୍କା ଆଦାୟ ହୁଏ । କିନ୍ତୁ ଏହି ଟଙ୍କା କାର୍ଯ୍ୟାଳୟକୁ ଯାଉଛି କି ଅଫିସର ନିଜ ପାଖରେ ରଖୁଛନ୍ତି ତାହା ଲୋକଙ୍କୁ ଜଣା ନାହିଁ । ଏକଥା ର ସୁଯୋଗ ନେଇ କିଛି ସରକାରୀ କର୍ମଚାରୀ ଉଠାଉଛନ୍ତି ଫାଇଦା । ୟୁଜର୍ସ ଫି ଆଦାୟ ନାମରେ ପୌର ପରିଷଦ କର୍ମଚାରୀ କରୁଛନ୍ତି ମହାଠକେଇ । ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ପୌର ପରିଷଦର ଅଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲର । ଏବେ ଖବର ପ୍ରସାରଣ ପରେ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ତଦନ୍ତ ।
ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ସୁଶାନ୍ତ କୁମାର ପ୍ରଧାନ ଆଉ ପାର୍ଥ ସାରଥି ସେଠୀଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ସାନିଟାରୀ ଏକ୍ସପର୍ଟ ଭାବେ ଦୁଇ ଜଣ କାମ କରନ୍ତି । ଜଣେ ବରିଷ୍ଠ ତ ଆଉ ଜଣେ କନିଷ୍ଠ । ଦୁଇ ଜଣଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରସିଦ ବହି ପରିଚାଳନା ହୁଏ । ରସିଦ ବହିରେ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି । ଏଭଳି ଅଭିଯୋଗ କରିଛନ୍ତି ଖୋଦ ପୌର ପରିଷଦର ଅଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲର । ଏଭଳିକି ଦୁଇ ଜଣ କର୍ମଚାରୀ ବସୁଥିବା ଅଫିସକୁ ତାଲା ମାରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଏବଂ କାଉନସିଲର ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।
ବରଗଡ଼ ପୌର ପରିଷଦ ପକ୍ଷରୁ ସହରର ଦୋକାନ, ବଜାର, ମଲ, ଘର ଠାରୁ ୟୁଜର୍ସ ଫି ଆଦାୟ କରିବା ପାଇଁ ଖାତା ରହିଛି । କିନ୍ତୁ ଯେଉଁମାନେ ଟଙ୍କା ଆଦାୟ ଦାୟିତ୍ୱରେ ଥିଲେ ସେମାନେ ୟୁଜର୍ସ ଫିରେ କରୁଥିଲେ ବଡ ହେରଫେର । ଲୋକଙ୍କ ଠାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଛନ୍ତି ହେଲେ ଅଫିସରେ ପଇଠ ହୋଇଛି ଦୁଇ ଶହ ଟଙ୍କା । ସହରର ଅନେକ ବ୍ୟକ୍ତିଙ୍କ ଠାରୁ ଚଞ୍ଚକତା କରି ଟଙ୍କା ନେଇଥିଲେ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ପୌର ପରିଷଦକୁ ନଯାଇ ଅଫିସରଙ୍କ ପକେଟକୁ ଯାଇଥିବା ଅଭିଯୋଗ ହୋଇଛି । ୨୦୨୩ – ୨୪ ବର୍ଷ ୟୁଜର୍ସ ଫି ଆଦାୟ କରିବା ପାଇଁ ୭୮ ଗୋଟି ରସିଦ ବହି ଇସ୍ୟୁ କରାଯାଇଥିବା ବେଳେ ୧୦ଟି ରସିଦ ବହି ଗାଏବ ହୋଇଛି । ଏଥି ମଧ୍ୟରେ ୫୦ ଗୋଟି ରସିଦ ବହିରେ ଇଙ୍କ ଲଗାଇ ଟଙ୍କା ହଡପ କରାଯାଇଥିବା ଅନୁମାନ କରିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ କ୍ୟାସିଅର । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚାଲିଛି ତଦନ୍ତ । ପ୍ରମାଣିତ ହେଲେ ଥାନାର ଦ୍ବାରସ୍ଥ ହେବି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ କହିଛନ୍ତି ।
ବରଗଡ଼ ପୌର ପରିଷଦ କର୍ମଚାରୀଙ୍କ ଏହି ଦୁର୍ନିତୀ ଅଭିଯୋଗ ନେଇ ଚର୍ଚ୍ଚା ହେଉଥିବା ବେଳେ ପ୍ରଶାସନିକ ସ୍ତରରେ ଚାଲିଥିବା ତଦନ୍ତ କଣ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର । ଖୁବଶୀଘ୍ର ପୋଲିସ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଖବର ମିଳୁଛି ।