ଜମାକାରୀଙ୍କ ଜମା ଟଙ୍କା ଆତ୍ମସାତ ଅଭିଯୋଗ, ପୋଷ୍ଟ ଅଫିସ୍ ସମ୍ମୁଖରେ ଧାରଣା

କଣ୍ଟାବାଞ୍ଜି: ଆଜ୍ଞା ଆମେ ନଖାଇ ନପିଇ, ମୁଣ୍ଡ ଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ପରିଶ୍ରମ କରି ଦିପଇସା ସଞ୍ଚୟ କରିଥିଲୁ । ସଞ୍ଚୟ ଟଙ୍କାକୁ ଆଣି ଡାକଘରେ ଜମା ରଖିଥିଲୁ । କିନ୍ତୁ ଏବେ ଆମ ଟଙ୍କାକୁ ହରିଲୁଟ୍ କରି ମାଲାମାଲ ହୋଇଛନ୍ତି ସରକାରୀ କର୍ମଚାରୀ । ଏବେ ଆମ ଟଙ୍କା ଗାଏବ । କଣ କରିବୁ, କେମିତି ଟଙ୍କା ପାଇବୁ ସେନେଇ ଭାବିଲାବେଳକୁ ଛାତି ଥରିଉଠୁଛି ଆଜ୍ଞା । ଏମିତି କିଛି କହି ଧାରଣାରେ ବସିଛନ୍ତି କିଛି ଜମାକାରୀ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଉପଡାକଘର ସମ୍ମୁଖରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ ।

ବଙ୍ଗୋମୁଣ୍ଡା ଉପଡାକଘର ସମ୍ମୁଖରେ ଧାରଣା ଦେଲେ ଅନେକ ଜମାକାରୀ । ଯାହା ଫଳରେ ଡାକସେବା ସହ ବିଭିନ୍ନ ଜରୁରୀକାଳୀନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଯାହା ସୂଚନା ମିଳିଛି, ଏହି ଡାକଘରେ କିଛି ଜମାକାରୀଙ୍କ ଜମା ଟଙ୍କା ୨ ଜଣ କର୍ମଚାରୀ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିମନ୍ୟୁ ଛତ୍ରୀଆ ଓ ପୂର୍ଣ୍ଣଚନ୍ଦ୍ର ଭୋଇ ନାମକୁ ଦୁଇ କର୍ମଚାରୀ ଡାକଘରରୁ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଘଟଣା ଜଣାପଡିବା ପରେ, ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଜମାକାରୀ । ଯେଉଁ ଜମାକାରୀଙ୍କ ଜମା ଟଙ୍କା ହଡପ କରାଯାଇଛି, ଯଥାଶୀଘ୍ର ସେମାନଙ୍କ ଟଙ୍କା ଫେରସ୍ତ କରିବା ପାଇଁ ଆନ୍ଦୋଳନକାରୀ ମାନେ ଦାବି କରିଛନ୍ତି । ଏପଟେ ଅଭିଯୋଗ ହୋଇଥିବା ଦୁଇ କର୍ମଚାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହାସହ ଟଙ୍କା ନ ପାଇଲେ ବଙ୍ଗୋମୁଣ୍ଡା ଉପଡାକଘର ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି ଜମାକାରୀ । ଡାକ ଅଫିସ ସମ୍ମୁଖରେ ଧାରଣା ଦେଇଥିବାରୁ ଡାକସେବାରେ ବ୍ୟାଘାତ ସୃଷ୍ଟି ହୋଇଛି । ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ଯେ, ଏତେ ଟଙ୍କାର ଘୋଟଲା କେତେ ଦିନରୁ ହୋଇଥିବା ବେଳେ ବିଭଗୀୟ ଅଧିକାରୀମାନେ କେମିତି ଜାଣିପାରିଲେ ନାହିଁ ଏବଂ ଏଥିରେ ଏହି ଦୁଇ କର୍ମଚାରୀଙ୍କ ସହ ଅନ୍ୟ କେଉଁମାନେ ଅଛନ୍ତି? ଏଘଟଣାରେ କେତେ ସତ୍ୟାସତ୍ୟ ରହିଛି ତାହା ସଠିକରେ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।

ଆହୁରି ପଢନ୍ତୁ: ଭିଜିଲାନ୍ସ ଜାଲରେ SI, ଏଫଆଇଆର ରଖିବାକୁ ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ