ମାନିଲେନି ବାର୍ଡଫ୍ଲୁ, ଖାଇଗଲେ ଦେଢ଼ କ୍ୱିଣ୍ଟାଲ୍ ଚିକେନ୍ ପକୋଡା

କଟକ: ଗରମ ତେଲ କଡେଇରେ ଛଣା ଚାଲିଛି ଚିକେନ୍ ପକୋଡା । ବାସ୍ନାରେ ମହକୁଛି ଚାରିଆଡ । ଖାଇବା ପାଇଁ ଏପଟେ ଲୋକଙ୍କ ଗହଳି ବି ଜମିଛି । କଡେଇରୁ ଗରମ ଗରମ ପକୋଡା ବାହାରୁ ବାହାରୁ ଆଖିପିଛୁଳାକେ ସରିଯାଉଛି । ଲୋକେ ବି ଖାଇବାରେ ଫୁରସତ୍ ଦେଉନାହାନ୍ତି । କୁକୁଡ଼ା ମାଂସ ଖାଆନ୍ତୁ , ସମସ୍ତଙ୍କୁ ଖୁଆନ୍ତୁ ନିଜେ ସୁସ୍ଥ ରୁହନ୍ତୁ ଓ ଅନ୍ୟମାନଙ୍କୁ ସୁସ୍ଥ ରଖନ୍ତୁ । ଏମିତି କିଛି ବାର୍ତ୍ତା ବାଣ୍ଟି କଟକ ପ୍ରେସ୍ ଛକରେ ଏକାଠି ହୋଇଥିଲେ ଓଡିଶା କୁକୁଡ଼ା ବ୍ୟବସାୟୀ ସଂଘର ସଦସ୍ୟ ମାନେ । ଆଉ ମାଗଣା ବାଣ୍ଟିଥିଲେ ଚିକେନ୍ ପକୋଡା ।

ମାଗଣାରେ ମିଳୁଛି ପୁଣି ଚିକେନ୍ ପକୋଡା! ଲୋକେ ଏଭଳି ସୁଯୋଗକୁ କେମିତି ବା ହାତ ଛାଡ କରିବେ । ମାଗଣା ଚିକେନ୍ ପକୋଡା ପାଇଁ ପ୍ରବଳ ଭିଡ଼ । ଛଣା ହୋଇ ଚିକେନ୍ ପକୋଡା ଥୁଆ ହେଉ ହେଉ ସବୁ ସରିଯାଉଛି । ଆଉ ଚାହୁଁ ଚାହୁଁ ଏମିତି ଖାଇଗଲେ ଯେ ସରିଗଲା ସବୁ ପକୋଡା । ଆପଣ ଜାଣି ଚକିତ ହୋଇଯିବେ ଯେ, ପାଖାପାଖି ଦେଢ଼ କୁଇଣ୍ଟାଲ ଚିକେନ୍ ପକୋଡା ମାଗଣା ଖାଇଗଲେ ଲୋକେ । ଯାହାକୁ ସ୍ଵଇଚ୍ଛାରେ ବାଣ୍ଟିଥିଲା କୁକୁଡ଼ା ବ୍ୟବସାୟୀ ସଂଘ ।

ତେବେ ବାର୍ଡ ପ୍ଲୁ ପାଇଁ ପ୍ରାୟତଃ ଲୋକ ଡରରେ ଏବେ ଚିକେନ୍ ଖାଉ ନଥିବାରୁ ଚିକେନ୍ ବ୍ୟବସାୟ ପୁରା ମାନ୍ଦା ପଡିଯାଇଛି । ବେପାର ନ ହେବାରୁ ଚିକେନ୍ ବ୍ୟବସାୟୀ ମାନେ କ୍ଷତି ସହୁଛନ୍ତି । ଏଥିଲାଗି ବ୍ୟବସାୟୀ ମାନେ ଏକାଠି ହୋଇ ମାଗଣାରେ ଚିକେନ୍ ପକୋଡା ସାଧାରଣ ଲୋକଙ୍କୁ ଖୁଆଇଥିଲେ । ଆଉ ଚିକେନ୍ ପକୋଡା ଖୁଆଇବା ସହ ଚିକେନ୍ ଖାଇବା ପାଇଁ ଲୋକଙ୍କୁ କହିଥିଲେ । ଅନ୍ୟପଟେ ଚିକେନ୍ କୁ ନେଇ ସରକାର ତାଙ୍କର କିଛି ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ ବ୍ୟବସାୟରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଓଡିଶା କୁକୁଡ଼ା ବ୍ୟବସାୟୀ ସଂଘର ସଦସ୍ୟ ।

ରାଜ୍ୟରେ ବାର୍ଡଫ୍ଲୁ ଭୟ । ଏପରି ଅବସ୍ଥାରେ ଏପଟେ ମାଗଣାରେ ଚିକେନ୍ ପକୋଡା । ମାଗଣା ଚିକେନ୍ ଖାଇବା ପାଇଁ ବି ଲୋକଙ୍କ ପ୍ରବଳ ଭିଡ଼ । ଛୋଟ ପିଲାଙ୍କଠାରୁ ବୟସ୍କ ସମସ୍ତେ କରିଥିଲେ ଲମ୍ବା ଲାଇନ୍ ।  ଆଖିପଛୁଳାକେ ସରିଗଲା କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଚିକେନ୍ ପକୋଡା । ତେବେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, କୁକୁଡ଼ା ବ୍ୟବସାୟୀ ସଂଘର ଏପରି ପଦକ୍ଷପ ପରେ ପ୍ରଶସନ କଣ ନିଷ୍ପତ୍ତି ନେଉଛି ଦେଖିବାକୁ ବାକି ରହିଲା  ।

 

You might also like