ଭଦ୍ରକ: ଭାରତର ମୁକ୍ତି ସଂଗ୍ରାମ ବେଳେ ଭଦ୍ରକ ଜିଲ୍ଲାର ସଂଗ୍ରାମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ସ୍ୱାଧୀନତାର ୭୮ ବର୍ଷ ଭିତରେ ସେହି ସଂଗ୍ରାମୀମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିଲା ବେଳେ ଖୁବ କ୍ୱଚିତ ସଂଗ୍ରାମୀ ଏବେ ବି ବଞ୍ଚି ରହି ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ଥ ବୟାଙ୍ଗ ଡିହି ପଞ୍ଚାୟତର କମାର ବନ୍ଧ ଗାଁର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତ ହେଉଛନ୍ତି ଅନ୍ୟତମ । ଦେଶ ଆଜି ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ସଂଗ୍ରାମୀ ରାଉତଙ୍କ ବୟସ ଏବେ ୯୭ରେ ପହଞ୍ଚିଲାଣି । ଭାରତ ମାଟିରୁ ଇଂରେଜ ସରକାରକୁ ହଟାଇବା ପାଇଁ ୧୯୪୨ ମସିହାରେ ଯେଉଁ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେଥିରେ ସାମିଲ ହୋଇଥିଲେ ସଂଗ୍ରାମୀ ବ୍ରଜ କିଶୋର ରାଉତ । ସେତବେଳେ ତାଙ୍କ ବୟସ ହୋଇଥିଲା ୧୫ ବର୍ଷ । ପାଠ ପଢା ବନ୍ଦ କରି ଦେଶ ପ୍ରେମରେ ଉଦବୁଦ୍ଧ ହୋଇ ସେ ଅନ୍ୟ ସଂଗ୍ରାମୀମାନଙ୍କ ସହିତ ମିଶି ଇଂରେଜ ମାନଙ୍କ ବିରୋଧରେ ସାଧାରଣ ଲୋକଙ୍କୁ ନେଇ ଭଦ୍ରକ ଜିଲ୍ଲାରେ ଆନ୍ଦୋଳନ ଆରମ୍ଭ କରିଥିଲେ ।
ସେତବେଳେ ମହାତ୍ମା ଗାନ୍ଧୀଙ୍କ ଡାକରାରରେ ସଂଗ୍ରାମୀମାନେ ନିଜ ଜୀବନକୁ ବାଜି ଲଗାଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଉଥିଲେ ଓ କର ବା ମର ନୀତିରେ ଆନ୍ଦୋଳନକୁ ତୀବ୍ର କରିଥିଲେ । ମହାତ୍ମା ଗାନ୍ଧୀ ଭଦ୍ରକ ଜିଲ୍ଲାକୁ ତିନି ଥର ଆସି ଭଦ୍ରକରେ ରହି ସ୍ୱାଧୀନତା ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଐତିହାସିକ ଗାନ୍ଧୀ ପଡିଆରେ ଭାଷଣ ଦେଇଥିଲେ ।
ସେତବେଳେ ଧାମନଗର ଧୂଷୁରୀ ଅଞ୍ଚଳକୁ ସଂଗ୍ରାମୀମାନେ ପ୍ରଥମେ ସ୍ୱାଧୀନ ଘୋଷଣା କରିଦେଇଥିଲେ । ପରେ ଲୁଣିଆ ମେଳଣ ପଦାରେ ୧୯୪୨ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ଇଂରେଜ ଶାସନ ବିରୋଧରେ ସଂଗ୍ରାମୀମାନେ ବିରାଟ ଆନ୍ଦୋଳନ ପାଇଁ ମେଳ ହୋଇଥିଲେ । ଖବର ପାଇ ଇଂରେଜ ସୈନ୍ୟ ସେଠାରେ ପହଞ୍ଚି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ ହେଁ ସଫଳ ନହେବାରୁ ଆଖି ବୁଜା ଗୁଳି ଚାଳନା କରିଥିଲେ ଫଳରେ ସେଠାରେ ୯ ଜଣ ସଂଗ୍ରାମୀ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିଲେ । ଯାହା ଇତିହାସରେ ଐତିହାସିକ ଲୁଣିଆ ଗୁଳିକାଣ୍ଡ ଭାବେ ଲିପିବଦ୍ଧ ହୋଇ ରହିଛି ।
ତେବେ ଧୂଷୁରୀ ଧାମନଗର ଅଞ୍ଚଳରେ ସ୍ୱାଧୀନତା ସଂଗ୍ରାମକୁ ତୀବ୍ର କରିବା ପାଇଁ ଅନ୍ୟ ସଂଗ୍ରାମୀମାନଙ୍କ ସହିତ ମିଶି ଆନ୍ଦୋଳନ କରୁଥିବାରୁ ସଂଗ୍ରାମୀ ବ୍ରଜ କିଶୋରଙ୍କୁ ଇଂରେଜ ସରକାର ଗିରଫ କରିଥିଲା । ସେତବେଳେ ସେ ୯ ମାସ ଜେଲରେ ଥିଲେ । ପରବର୍ତ୍ତୀ ସମୟରେ ଦେଶ ସ୍ୱାଧୀନତା ଲାଭ କଲା ପରେ ଭାରତ ସରକାର ସଂଗ୍ରାମୀମାନଙ୍କୁ ଉଚିତ ସମ୍ମାନ ଦେଇଥିଲା ବେଳେ ସଂଗ୍ରାମୀ ବ୍ରଜ କିଶୋରଙ୍କୁ ସରକାର ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପ୍ରଦାନ କରିଥିଲେ । ଏପରିକି ସେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବୟସର ଅପରାହ୍ନରେ ସେ ଏବେ ଟିକେ ଥକି ପଡ଼ିଛନ୍ତି । ସେ ଏବେ ନିଜ ଘରେ ପୁଅ ବହୁ ନାତି ନାତୁଣୀଙ୍କ ସହିତ ଏକାଠି ରହୁଛନ୍ତି ।
ତେବେ ସ୍ୱାଧୀନତା ପରେ ଦେଶର ଅନେକ କିଛି ପରିବର୍ତ୍ତନ ଆସିଛି ଓ ଉନ୍ନତି ହୋଇଛି ବୋଲି ସଂଗ୍ରାମୀ ରାଉତ କହିବା ସହିତ ଗାନ୍ଧିଜୀଙ୍କ ନୀତି ଆଦର୍ଶ ଓ ପରାମର୍ଶ ଆଜି ଜନ ମାନସରୁ ଲିଭି ଯାଉଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କ ପୁରା ପରିବାର ବାପାଙ୍କ ଏପରି କାର୍ଯ୍ୟ ପାଇଁ ନିଜକୁ ଧନ୍ୟ ମନେ କରୁଛନ୍ତି । ସେହିପରି ଗାଁ ଲୋକେ ସଂଗ୍ରାମୀ ବ୍ରଜ କିଶୋରଙ୍କ ପ୍ରେରଣାରେ ଅନୁପ୍ରାଣିତ ହେଉଛନ୍ତି ବୋଲି କହିଛନ୍ତି ।