ପୁଣି ସାରଥି ବାବାଙ୍କୁ ନେଇ ନୂଆ ବିବାଦ, ସତସଙ୍ଗ ଆରମ୍ଭ ପରେ ବାବା ଓ ଅନୁଗାମୀଙ୍କ ନାମରେ ଥାନାରେ ଏତଲା ଦେଲେ ସାମାଜିକ କର୍ମୀ

(କେନ୍ୟୁଜ ବ୍ୟୁରୋ) : ପୁଣି ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ନେଇ ଦେଖାଦେଇଛି ନୂଆ ବିବାଦ । ରାଜଧାନୀ ଭୁବନେଶ୍ବରରେ ସାରଥିଙ୍କୁ ନେଇ ସୃଷ୍ଟି ହୋଇଛି ଏହି ବିବାଦ । ସାରଥିଙ୍କ ଅନୁଗାମୀ ଭୁବନେଶ୍ବରରେ ତାଙ୍କର ପୂଜାର୍ଚ୍ଚନା ପୁଣି ଆରମ୍ଭ କରିଛନ୍ତି ।  ଭୁବନେଶ୍ବର ଓ ଜୟପୁରରେ ସାରଥିଙ୍କ ଅନୁଗାମୀଙ୍କର ମଧ୍ୟ ପୂଜାର୍ଚ୍ଚନା ଦେଖିବାକୁ ମିଳିଛି । ଭୁବନେଶ୍ବର କାର୍ଗିଲ ବସ୍ତିରେ ସତସଙ୍ଗ ଆୟୋଜନ ବେଳେ ବହୁ ଅନୁଗାମୀ ଯୋଗ ଦେଇଥିଲେ । ସମସ୍ତେ ସାରଥିଙ୍କର ନାମ ଜପୁଥିବା ଦେଖାଯାଇଛି ।

କୋରାପୁଟର ଜୟପୁର ନିକଟ ଫାମ୍ପୁଣିରେ ବି ସାରଥିଙ୍କ ଭଜନ, କୀର୍ତ୍ତନ କରିଛନ୍ତି ଅନୁଗାମୀ । ଏଠାରେ ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି । ଏହାକୁ ନେଇ ନୂଆ ବିବାଦ ଦେଖାଯାଇଛି । ଏଭଳି କରିବା ଜଗନ୍ନାଥଙ୍କ ଅପମାନ ସମାନ ବୋଲି ମଧ୍ୟ କହିଛନ୍ତି କିଛି ଜଗନ୍ନାଥ ପ୍ରେମୀ । ସମାବେଶରେ, ଅନୁଗାମୀମାନେ ସାରଥିଙ୍କ ଦ୍ୱାରା ପ୍ରଦର୍ଶିତ ଭକ୍ତିଭରା ଭଜନ ବଜାଉଥିବାର ଦେଖାଯାଇଥିଲା । ସେଠାରେ କିଶୋରୀ ଝିଅମାନଙ୍କ ସମେତ ପୁରୁଷ ଓ ମହିଳା ମଧ୍ୟ ଥିବା ଦେଖାଯାଇଥିଲା ।

ଏହି ଅୟୋଜନକୁ ସାରଥିଙ୍କ ‘ସତ୍‌ସଙ୍ଗ’ ବୋଲି କୁହାଯାଉଛି । ଆମେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମାରେ ସାରଥି ବାବାଙ୍କୁ ପୂଜା କରୁ ବୋଲି ଅନୁଗାମୀମାନେ କହୁଥିବା ଦେଖିବାକୁ ମିଳିଛି । ତାଙ୍କୁ ପୂଜା କରି ଆମର ଅନେକ ଇଚ୍ଛା ପୂରଣ ହୋଇଛି ବୋଲି ବହୁ ଅନୁଗାମୀ କହୁଥିବା ଦେଖିବାକୁ ମିଳିଛି ।

ତାଙ୍କୁ କିପରି କିଏ ଦେଖୁଛନ୍ତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ସେ ଆମର ଈଶ୍ୱର ବୋଲି ଅନୁଗାମୀ କହୁଥିବା ଦେଖାଯାଇଛି । ସେ ଆମର ସବୁକିଛି। ଆମେ ତାଙ୍କୁ ବିଶ୍ୱାସ କରିଆସୁଛୁ ଆଉ କରିବୁ ମଧ୍ୟ । ସେ ଆମର ଈଶ୍ୱର । ଆମେ ଆଜି ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ରାର୍ଥନାର ଆୟୋଜନ କରିଛୁ ବୋଲି ଅନୁଗାମୀମାନେ କହିଛନ୍ତି । ତେବେ ଏହାକୁ ବିରୋଧ କରିଛନ୍ତି ଜଣେ ସାମାଜିକ କର୍ମୀ । ସେ ବାବା ସାରଥୀ ଓ ତାଙ୍କ ଅନୁଗାମୀଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏକ FIR ରୁଜୁ କରିବା ସହ ସେମାନଙ୍କର ଗିରଫ ଦାବି କରିଛନ୍ତି ।