ଭୋଜି କରିବା ହେଲା କାଳ, ଜୀବନ ନେଇଗଲେ ସାଙ୍ଗସାଥି

ଭୋଜି କରିବା ହେଲା କାଳ । ଘରୁ ଡାକିଲେ ସାଙ୍ଗ ସାଥି ହୋଇ ଭୋଜି ବି କଲେ କିନ୍ତୁ ସକାଳୁ ପରିବା ବଗିଚାରେ ପଡ଼ିଥିଲା ଜଣଙ୍କର ମର ଶରୀର । ସାଙ୍ଗ ସାଥୀ ହୋଇ ଭୋଜି କରୁ କରୁ କେହି ଯେ କାହାର ଜୀବନ ନେଇ ଯିବ ସେ କଥା କାହାକୁ ବା ଜଣାଥିଲା । କୋରାପୁଟ ଜିଲ୍ଲା ବୋରିଗୁମା ନକୁଳଗୁଡା ଗାଁର ଜଗନ୍ନାଥ ମାଝି ଭୋଜି ପାଇଁ ଯାଇଥିଲେ । କିନ୍ତୁ ରାତିରେ ଘରକୁ ଫେରି ନଥିଲେ । ସକାଳ ହେବାରୁ ଜଗନ୍ନାଥଙ୍କୁ ତାଙ୍କ ମା’ ବହୁ ଖୋଜାଖୋଜି କରିଥିଲେ । ସବୁ ପରେ ବି ଜଗନ୍ନାଥଙ୍କୁ ନପାଇବାରୁ ଘର ପଛ ପଟ ପରିବା ବାଡ଼ିକୁ ଯାଇଥିଲେ । ସେଠାରେ ପଡ଼ିଥିଲା ଜଗନ୍ନାଥଙ୍କ ମରଶରୀର । ପୁଅକୁ ଏମିତି ଅବସ୍ଥାରେ ଦେଖି ତାଙ୍କ ପାଦ ତଳୁ ଯେମତି ମାଟି ଖସିଗଲା । ସଙ୍ଗେ ସଙ୍ଗେ ଗାଁକୁ ଲୋକଙ୍କୁ ଖବର ଦେଲେ । ଖବର ପାଇ ଗାଁ ଲୋକଙ୍କ ସହ ପୋଲିସ ବି ପହଞ୍ଚିଲା । ତେବେ ଏ ଘଟଣାର ଏବେ ହୋଇଛି ପର୍ଦାଫାସ । ୫ ସମ୍ପୃକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି ।

ତେବେ ଜଗନ୍ନାଥଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ବୋରିଗୁମ୍ମା ନକୁଳଗୁଡା ଗାଁର ୨୮ ବର୍ଷିୟ ଜଗନ୍ନାଥ ନୂଆବର୍ଷରେ ସାଙ୍ଗସାଥିଙ୍କ ସହ ଦିନରେ ଭୋଜି ଭାତ କରି ଖାଇଥିଲେ । ପୁଣି ରାତିରେ ଜଗନ୍ନାଥ ନିଜ ସାଙ୍ଗ ସାଥି ସହ ନିଜ ଘର ପଛପଟେ ଏକ ପରିବା ବଗିଚାରେ ଭୋଜି ଆୟୋଜନ କରିଥିଲେ । ହେଲେ ରାତିରେ ଭୋଜି ଖାଇ ଆଉ ଘରକୁ ଫେରି ନଥିଲେ । ସକାଳୁ ଜଗନ୍ନାଥଙ୍କ ମର ଶରୀର ମିଳିଥିଲା । ପରେ ବିସିଂପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ବେଳେ ବୋରିଗୁମା ଏସଡିପିଓ ତପସ୍ୱିନୀ କଁହର ଘଟଣା ସ୍ଥଳ ଦେଖିବା ସହ ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ଘଟଣାରେ ୫ ଜଣଙ୍କର ସମ୍ପକ୍ତି ଥିବାବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ ହୋଇଛି ।

ଅଭିଯୁକ୍ତମାନେ ତ ଧରାପଡ଼ିଲେ କିନ୍ତୁ ଜଗନ୍ନାଥ କଣ ଆଉ ଫେରି ଆସିବେ ? ପୁଅକୁ ହରାଇ ଏବେ ତାଙ୍କ ପରିବାର ବେସାହାରା ହୋଇପଡ଼ିଛି ।