ବନ୍ଧୁତ୍ବ ଏମିତି ଏକ ସମ୍ପର୍କ ଯାହା ବିଷୟରେ ବର୍ଣ୍ଣନା କରିବା ଅସମ୍ଭବ । ବନ୍ଧୁ ନିଜ ବନ୍ଧୁ ପାଇଁ ଜୀବନ ଦେବାକୁ ବି ପଛାଏ ନାହିଁ । କିନ୍ତୁ ଏହି ବନ୍ଧୁତ୍ବ ଭଳି ପବିତ୍ର ସମ୍ପର୍କରେ ଜଣେ ଯୁବକ ଲଗାଇଛନ୍ତି କଳଙ୍କର ଦାଗ । ଟଙ୍କା ଓ ସନ୍ଦେହ ପାଇଁ ନିଜ ସାଙ୍ଗର ହତ୍ୟା କରିବାକୁ ପଛାଇ ନାହିଁ ଜଣେ ଯୁବକ । ଯୁବକ ନିଜ ବନ୍ଧୁକୁ ଘରୁ ଡାକି ଆଣି କରିଛି ହତ୍ୟା । ପ୍ରଥମେ ସାଙ୍ଗର ହତ୍ୟା କରିଥିଲା ଅଭିଯୁକ୍ତ । କିନ୍ତୁ ପୋଲିସ ହାତରୁ ବଞ୍ଚିବା ପାଇଁ ରଚିଥିଲା ଷଡ଼ଯନ୍ତ୍ର । ସାଙ୍ଗର ହତ୍ୟାକୁ ଦୁର୍ଘଟଣାର ରୂପ ଦେଇଥିଲା ଅଭିଯୁକ୍ତ । କିନ୍ତୁ ଘଟଣାର ତଦନ୍ତ ପରେ ସବୁ ରହସ୍ୟ ଉପରୁ ପରଦା ହଟିଥିଲା । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ।
ଦେବଗଡ ଜିଲ୍ଲା ରିଆମାଳ ଥାନା ତେଲିମୁଣ୍ଡା ଗାଁରେ ଜଣେ ଯୁବକ ନିଜ ବନ୍ଧୁକୁ ହତ୍ୟା କରିଛି । ଠିକା କାମରେ ହୋଇଥିବା ଲାଭରେ ଭାଗ ଓ ନିଜ ସ୍ତ୍ରୀ ସହ ସାଙ୍ଗର ଅବୈଧ ସମ୍ପର୍କକୁ ସନ୍ଦେହ କରି ନିଜ ସାଙ୍ଗକୁ ହତ୍ୟା କରିଛି ଅଭିଯୁକ୍ତ । ଯୋଜନାବଦ୍ଧ ଭାବେ ରାତିରେ ବନ୍ଧୁକୁ ଘରୁ ଡାକି ନେଇ ଅତ୍ୟଧିକ ମଦ୍ୟପାନ କରାଇଲା । ଆଉ ବନ୍ଧୁ ନିଶାଗ୍ରସ୍ତ ହେବା ପରେ ଗାଡିରେ ବ୍ୟବହାର ହେଉଥିବା ଜ୍ୟାକ ରଡ ସାହାଯ୍ୟରେ ସାଙ୍ଗ ମୁଣ୍ଡକୁ ପିଟି ପିଟି କରିଥିଲା ହତ୍ୟା । ପରେ ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ କରିଥିଲା ପ୍ରୟାସ ।
ସୂଚନା ଅନୁସାରେ ଗତ ଅକ୍ଟୋବାର ମାସ ୧୧ ତାରିଖ ରାତି ୧୧ଟା ସମୟରେ ଏହି ଘଟଣା ଘଟିଥିବା ଜଣା ପଡିଛି । ମୃତକ ହେଉଛନ୍ତି ତେଲିମୁଣ୍ଡା ଗାଁର ଅମର ପ୍ରଧାନ । ଅନ୍ୟପଟେ ଅଭିଯୁକ୍ତ ହତ୍ୟାକାରୀ ହେଉଛି ସେହି ଗାଁର ଶୁଶୀଲ କିସାନ । ତେବେ
ଅମରଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଜୟନ୍ତ ପ୍ରଧାନ ଗତ ୧୨ ତାରିଖ ରେ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଗାଡି ନମ୍ବର ଯାଞ୍ଚ କରିବା ସମୟରେ ଉକ୍ତ ଗାଡି ସେଦିନ ଦୁର୍ଘଟଣା ହୋଇଥିବା ଅଞ୍ଚଳରେ ଯାତାୟତ କରି ନଥିବା ପୋଲିସ ଜାଣିବାକୁ ପାଇଥିଲା ।
ଅନୁସନ୍ଧାନ କରିବା ପରେ ଜଣା ପଡିଥିଲା ଯେ ସେଦିନ ରାତିରେ ଅଭିଯୁକ୍ତ ଶୁଶୀଲ ଅମରକୁ ନେଇ ଏକ ଫୋର୍ଡ ଗାଡିରେ ଘରୁ ଯାଇଥିଲା । ତେବେ ଅଭିଯୁକ୍ତ ଶୁଶୀଲକୁ ପୋଲିସ ପଚରା ଉଚୁରା କରିବା ସମୟରେ ଶୁଶୀଲ ଅମରକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ପୁଲିସ ଅଭିଯୁକ୍ତ ଶୁଶୀଲ କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କାର ଓ ଜ୍ୟାକ ରଡକୁ ଜବତ କରିଛି । ଏନେଇ ରିଆମାଳ ଥାନା ଦେବଗଡ ଏସପି ଅନୀଲ କୁମାର ମିଶ୍ର ଘଟଣାର ସମସ୍ତ ସୂଚନା ଦେଇଛନ୍ତି ।