ଚାନ୍ଦବାଲି: ସାଙ୍ଗ ସାଜିଲା ସାଙ୍ଗର ହତ୍ୟାକାରୀ, ମାରି ପୋତିଦେଲା କେନାଲ ବନ୍ଧରେ

ଚାନ୍ଦବାଲି(କେନ୍ୟୁଜ୍): ସାଙ୍ଗ ସାଜିଲା ସାଙ୍ଗର ହତ୍ୟାକାରୀ ।ମାରି ପୋତିଦେଲା କେନାଲ ବନ୍ଧରେ । ୪୧ ଦିନପରେ କେନାଲବନ୍ଧରୁ ଉଦ୍ଧାର ହେଲା ଗଳିତ ମୃତଦେହ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲୀ ଅଞ୍ଚଳରେ। ଖବର ମୁତାବକ ଗତ ଜାନୁଆରୀ ୨୬ ତାରିଖରେ ତିହିଡି ଥାନାରେ ପସନ୍ନ ବେହେରା ନାମକ ଏକ ଯୁବକ ନିଖୋଜ ଥିବାର ଅଭିଯୋଗ କରିଥିଲେ ପ୍ରସନ୍ନଙ୍କ ମା। ପ୍ରସନ୍ନଙ୍କ ଘର ଭଦ୍ରକ ଇଚ୍ଛାପୁର ଅଞ୍ଚଳରେ କିନ୍ତୁ  ସେ ନିଜ ମାମୁଁଘର କୋହ୍ଲାରେ ରହୁଥିଲେ। ହଠାତ ୨୫ ତାରିଖରୁ ପ୍ରସନ୍ନ ନିଖୋଜ ହୋଇଗଲେ ।  ପରିବାର ଲୋକେ ବହୁତ ଖୋଜାଖୋଜିକରି ନିରାଶ ହେବା ପରେ ୨୬ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ମା। ଅଭିଯୋଗକୁ ପାଇ ପୋଲିସ ସବୁଆଡେ ଖୋଜାଖୋଜି କରିବା ଆରମ୍ଭ କରିଦେଇଥିଲା।

hatyakari sanga

ବହୁ ଖୋଜାଖୋଜି ପରେ ମଧ୍ୟ ପୋଲିସକୁ ପ୍ରସନ୍ନଙ୍କ କିଛି ବି  ସୁରାକ ମିଳିନଥିଲା । ପରେ ପୋଲିସ ପ୍ରସନ୍ନଙ୍କ ଅତି ଘନିଷ୍ଠ ୩ ଜଣ ବନ୍ଧୁଙ୍କୁ ଡାକି ପଚରାଉଚରା କରିବା ପରେ ପ୍ରସନ୍ନଙ୍କ ସାଙ୍ଗ ଶୁକଦେବ ପାଢୀ ଉପରେ ପୋଲିସର ସନ୍ଦେହୀ ଆଖି ଲାଖିରହିଥିଲା। କାରଣ ଶୁକଦେବର କଥାର ତାଳମେଳ କିଛି ଗୋଳମାଳିଆ ହେଉଥିଲା। ଏହାପରେ ଶୁକଦେବର ଅଧିକ ତଥ୍ୟ  ରଖିବା ପାଇଁ ତା ଫୋନ କଲକୁ ଟ୍ରାକ କରିଥିଲା ପୋଲିସ। ପରେ ଶୁକଦେବ ହିଁ ହତ୍ୟାକରୀ ବୋଲି ପ୍ରମାଣ ମିଳିଯିବା ପରେ ତାକୁ ଥାନାକୁ ଆଣି ଅଟକ ରଖିଲା ପୋଲିସ। ତଦନ୍ତକାରୀ ଅଧିକାରୀଙ୍କ କଡ଼ା ପଚରାପଚରିରେ  ସବୁ ସତ ଓଗାଳି ଦେଇଥିଲା ଶୁକଦେବ। ପ୍ରସନ୍ନଙ୍କୁ ହତ୍ୟାକରି କେନାଲ ବନ୍ଧରେ ପୋତି ଦେଇଥିବାର ଶୁକଦେବ ପୋଲିସ ଆଗରେ ସ୍ବୀକାର କରିଥିଲା ।

ଶୁକଦେବର  କହିବା ଅନୁସାରେ ପୋଲିସ ପରୀହାଟ ବିଲ ବାମନାବନ୍ଧ କେନାଲ ବନ୍ଧ କଡରୁ ପ୍ରସନ୍ନର ଗଳିତ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।  ତେବେ ଏହା  ବ୍ୟକ୍ତିଗତ କାରଣରୁ ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସ କହୁଥିବା ବେଳେ ଏହା ପ୍ରେମ ଜନିତ କାରଣରୁ ଝିଅର ଭାଇ ପ୍ରସନ୍ନକୁ ମାରିଦେଇ  ପୋତି ଦେଇଥିବା ଅଭିଯୋଗ କରିଛନ୍ତି ପ୍ରସନ୍ନଙ୍କ ମାମୁଁ।  ତେବେ ଏହି ହତ୍ୟା ଘଟଣାରେ ଆହୁରୀ ଅଧିକ ଲୋକ ଜଡିତ ଅଛନ୍ତି ଓ  ସେମାନଙ୍କ ମଧ୍ୟ ଗିରଫ  କରାଯିବ ବୋଲି ଚନ୍ଦବାଲି ଏସଡିପିଓ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.