ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ୧୦ ଦିନ: ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ସେବା, ଆଜିଠୁ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଓଷ ଲାଗି ନୀତି

ପୁରୀ(କେନ୍ୟୁଜ): ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ୧୦ ଦିନ। ତିନି ରଥର ବଡ଼ ପୋଟଳ ଉଠିବା ପରେ କଇଁଛି ବାଡିଆ ଶେଷ ହୋଇଛି। ତେର ପରସ୍ତ ପୋଟଳରୁ ୧୧ ପରସ୍ତ ପୋଟଳ କାମ ସରିଛି। ରଥର ଗୁଜ, ଚକ ଓ ଦଣ୍ଡାରେ ରଙ୍ଗ ଦିଆଯାଉଛି। ପାର୍ଶ୍ୱ ଦେବତାଙ୍କ ପ୍ରତିମୂର୍ତ୍ତିରେ ରଙ୍ଗ ଦେବା ଆରମ୍ଭ ହୋଇଛି। ରଥର ପାର୍ଶ୍ୱ ଦେବତାଙ୍କ ଆସ୍ଥାନ ବା ଶିଖର ଡମ୍ବରୁ, ଓଲଟ ଶୁଆ, ସଖୀ, ଦ୍ୱାରପାଳ, ଅଶ୍ୱ, ସାରଥୀ ଆଦି ରଥର ଅଂଶକୁ ପ୍ରସ୍ତୁତ କରାଯାଉଛି।

ଏପଟେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ସେବା। ଶ୍ରୀଜିଉ କିପରି ସୁସ୍ଥ ହେବେ ସେଥିପାଇଁ ରାତିରେ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରୀ ତେଲ । ବଡ଼ଓଡ଼ିଆ ମଠ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲ ଯୋଗାଇଛି। ରାଶି ତେଲରେ ବିଭିନ୍ନ ପ୍ରକାର ଚେର, ଔଷଧୀୟ ଫୁଲ ଆଦି ମିଶାଯାଇ ଗୋଟିଏ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକ ମାନେ ଏହି ଫୁଲୁରୀ ତେଲ ଲାଗି କରିଛନ୍ତି । ଆଜିଠୁ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଓଷ ଲାଗି ନୀତି କରାଯିବ ।