ପୁରୀ : ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର । ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ଭକ୍ତ ପୂର୍ବଭଳି ଚାରିଦ୍ବାରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିପାରିବେ। କିନ୍ତୁ ତିନି ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସିଂହଦ୍ବାରରେ ପ୍ରସ୍ଥାନ କଟକଣା ଲଗାଯାଇଛି। କିନ୍ତ ସେବକ ଓ ସେମାନଙ୍କ ପରିବାରବର୍ଗ ଚାରିଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ବୋଲି ଡ.ପାଢ଼ୀ କହିଛନ୍ତି।
କାର୍ତ୍ତିକ ମାସ ପରବର୍ତ୍ତୀ ଦର୍ଶନ ବ୍ୟବସ୍ଥା ନେଇ ଶ୍ରମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ, ଏସପିଙ୍କ ସମେତ ଶ୍ରୀମନ୍ଦିର ତଥା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅନ୍ୟପଟେ ଗତକାଲି କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ସମାପନ କରିଛନ୍ତି ।
ସୂଚନାଯୋଗ୍ୟ, କାର୍ତ୍ତିକ ମାସ ଭିଡ଼ ପାଇଁ ଗତ ଅକ୍ଟୋବର ୧୮ ତାରିଖରୁ ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନରେ କଟକଣା ଲଗାଯାଇଥିଲା। କେବଳ ଶ୍ରୀମନ୍ଦିର ସିଂହଦ୍ବାର ଓ ପଶ୍ଚିମଦ୍ବାରରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଉଥିଲା । ସିଂହଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ବନ୍ଦ ରହିଥିବାବେଳେ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଥିଲା। ପଞ୍ଚକରେ କେବଳ ସିଂହଦ୍ବାରରେ ପ୍ରବେଶ ଓ ଅନ୍ୟ ତିନିଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେବାୟତ ଓ ସେମାନଙ୍କ ପରିବାର କ୍ଷେତ୍ରରେ ଏହି କଟକଣା ଲଗାଯାଇନଥିଲା ।