ସରକାରୀ କର୍ମଚାରୀଙ୍କ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ସୁନିଶ୍ଚିତ ହେବ: ସମସ୍ତ ବିଭାଗ ମୁଖ୍ୟଙ୍କୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ । ଏନେଇ ସବୁ ବିଭାଗକୁ ଚିଠି ଲେଖି ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ପେନସନ ମଞ୍ଜୁର କରୁଥିବା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି । ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିବସରେ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ପାଇଁ ପୂର୍ବରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ କେତେକ କ୍ଷେତ୍ରରେ ଏହା ସଠିକ ଭାବେ ପାଳନ ହେଉନଥିବା ଦୃଷ୍ଟିକୁ ଆସିଛି । ଏଥିପାଇଁ ଓଡ଼ିଶା ସିଭିଲ ସର୍ଭିସ ପେନସନ ନିୟମ, ୧୯୯୨ ଅନୁସାରେ ସବୁ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

ଭିଜିଲାନ୍ସ ମକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ ଥିଲେ ପୂର୍ବରୁ ସମାଧାନ ପାଇଁ ନିର୍ଦ୍ଦେଶ ରହିଛି । ମାନବିକତା ତଥା ଉତ୍ତମ ପ୍ରଶାସନ ଦୃଷ୍ଟିରୁ ଅବସର ଦିବସରେ ସବୁ ଅବସରପ୍ରାପ୍ତ ଯୋଗ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ଦେବାକୁ ସୁନିଶ୍ଚିତ କରିବେ । ଏହା ସଂପୃକ୍ତ ଅଧିକାରୀଙ୍କ ଦକ୍ଷତା ମାପକାଠିର ପରିଚାୟକ ହେବ । ପ୍ରତି ମାସରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ତଥ୍ୟ ପରମାସ ୭ରେ ଦେବେ ବୋଲି ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

You might also like