ଗଜପତି ଜିଲ୍ଲା ଲକ୍ଷହୀରା ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ, ସ୍ୱାମୀ ସହ ୩ଜଣଙ୍କୁ ଗିରଫ କଲା ପୋଲିସ୍

ମୋହନା : ପାଗଳ କଲା ଦ୍ୱିତୀୟ ସ୍ତ୍ରୀ । ତାରି ପ୍ରେମରେ ଉବୁଟୁବୁ ହେଲା ସ୍ୱାମୀ । ଆଉ ସବୁ ଯେମିତି ତାକୁ ପିତା ଲାଗିଲା । ଦ୍ୱିତୀୟ ସ୍ତ୍ରୀ ପ୍ରେମରେ ଏମିତି ଅନ୍ଧ ହୋଇଗଲା ଯେ ପ୍ରଥମ ସ୍ତ୍ରୀର ଯେମିତି ତା ଜୀବନରେ ଆଉ ମାନେ ରହିଲାନି । କେତେ ସ୍ୱପ୍ନ କେତେ ଆଶା ବାନ୍ଧି ସ୍ୱାମୀର ହାତ ଧରି ସଂସାର ରଥକୁ ଆଗେଇ ନେଉଥିଲେ ସ୍ତ୍ରୀ । ୧୫ ବର୍ଷର ବୈବାହିକ ଜୀବନରେ ସ୍ୱାମୀଙ୍କ ସୁଖ ଦୁଃଖର ସାଥୀ ହୋଇ ଚାଲିଥିଲେ । ତାରି ଭିତରେ ଜନ୍ମ ହେଲେ ୩ଟି ଝିଅ ଏବଂ ଗୋଟିଏ ପୁଅ । ଖୁବ୍ ହସ ଖୁସିରେ ଚାଲିଥିବା ସଂସାର ।

ହେଲେ ହଠାତ୍ ବଦଳିବାକୁ ଲାଗିଲା ଏତେ ଭଲ ପାଉଥିବା ସ୍ୱାମୀ । ବଦଳିଗଲା ସ୍ତ୍ରୀ ପିଲା ଛୁଆଙ୍କ ପ୍ରତି ବ୍ୟବହାର । ଦେଖୁ ଦେଖୁ ସ୍ତ୍ରୀ ଜାଣିବାକୁ ପାଇଲେ ସ୍ୱାମୀ ଏବେ ପର ସ୍ତ୍ରୀ ପ୍ରେମରେ ବାୟା । କୋଉ ସ୍ତ୍ରୀ ବା ସହିପାରିବ ଏ କଷ୍ଟକୁ । ଆରମ୍ଭ ହୋଇଗଲା ପାରିବାରିକ କହଳ । ନିଜ ସ୍ତ୍ରୀ, ପିଲା ଛୁଆ ସବୁ ଥାଇ ଶେଷରେ ସ୍ୱାମୀ ବାହା ହୋଇଗଲା ପ୍ରେମିକାକୁ । ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପରେ ଆହୁରୀ ବଢିଲା ଅଶାନ୍ତି । ଶେଷରେ ସ୍ୱାମୀ ଆଉ ଦ୍ୱିତୀୟ ସ୍ତ୍ରୀ ମିଶି ରଚିଲେ ଷଡଯନ୍ତ୍ର । ତାପରେ ସେମାନଙ୍କ ରାସ୍ତାରେ କଣ୍ଟା ସାଜିଥିବା ପ୍ରଥମ ସ୍ତ୍ରୀକୁ ସବୁଦିନ ପାଇଁ ସଫା କରିଦେଲେ ।

ଗଜପତି ଜିଲ୍ଲା ଅଡବା ଥାନା କଲେମା ଗାଁରେ ଲାଲି ଓରଫ ଲକ୍ଷହୀରା ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ୍ । ସାମ୍ନାକୁ ଆସିଛି ଘଟଣା ପଛର ଛାତିଥା. କାହାଣୀ । ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ମୃତ ଲକ୍ଷହୀରାଙ୍କ ସ୍ଵାମୀ ଧର୍ମେନ୍ଦ୍ର ନାୟକ, ଦ୍ଵିତୀୟ ପତ୍ନୀ ପୂର୍ଣ୍ଣବାସୀ ନାୟକ ଓ ପୁତୁରା କର୍ଣ୍ଣ ନାୟକ । ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଯତୀନ୍ଦ୍ର ପଣ୍ଡା । ପାରିବାରିକ ଅଶାନ୍ତି ଓ ଦ୍ୱିତୀୟ ବିବାହକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏସପି ସୂଚନା ଦେଇଛନ୍ତି ।

ଧର୍ମେନ୍ଦ୍ର ଗତ ୧୫ ବର୍ଷ ତଳେ ପ୍ରଥମେ ଲକ୍ଷହୀରାଙ୍କୁ ବିବାହ କରିଥିଲା । ଏହାପରେ ଗତ ୪ ବର୍ଷ ତଳେ ପୁଣି ପୂର୍ଣ୍ଣବାସୀ ନାମକ ଜଣେ ମହିଳାଙ୍କୁ ଦ୍ଵିତୀୟ ବିବାହ କରିଥିଲା । ଏହାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା । ତେଣୁ ରାସ୍ତାରୁ ହଟାଇବା ପାଇଁ ଲକ୍ଷହୀରାଙ୍କୁ ଗତ ୩ ତାରିଖ ଦିନ ସ୍ଵାମୀ ଧର୍ମେନ୍ଦ୍ର ନାୟକ ସହ ଦ୍ଵିତୀୟ ପତ୍ନୀ ଓ ପୁତୁରା ତିନି ଜଣ ମିଶି ହତ୍ୟା କରିଥିଲେ । ୫ ତାରିଖରେ ଏକ ପାହାଡ ତଳେ ଥିବା ପଥର କଣରୁ ମୃତଦେହ ଉଦ୍ଧାର କରିଥିଲା ପୋଲିସ୍ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ପଥର ଜବତ ହୋଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପରେ ମୃତଙ୍କ ଭାଇ ଖୁସି ବ୍ୟକ୍ତ କରିଛନ୍ତି ।