ମାନୁନି ଇସ୍କନ, ପୁନର୍ବାର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ : ଗଜପତି ଦିବ୍ୟସିଂହ ଦେବଙ୍କ ପୁନର୍ବାର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି । ଇସ୍କନ ନିଜ ସିଦ୍ଧାନ୍ତର ପୁନର୍ବିଚାର କରିବାକୁ ଏବଂ ପବିତ୍ର ଶାସ୍ତ୍ର ଓ ପୁରାତନ ରୀତି ନୀତିର ସମ୍ମାନ ରଖି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ୯ ଦିନ ମଧ୍ୟରେ ରଥଯାତ୍ରା ପାଳନ କରିବାକୁ ଦିଗଦର୍ଶନ ଦେଇଛନ୍ତି।

ଇସ୍କନକୁ ଗଜପତିଙ୍କ ଚିଠି ନେଇ ଶ୍ରୀ ଗଜପତି ମହାରାଜଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ଶ୍ରୀ ପଣ୍ଡା ବିଜ୍ଞପ୍ତିରେ କହିଛନ୍ତି ଯେ, ଶ୍ରୀଗଜପତି ମହାରାଜାଙ୍କ ନିର୍ଦ୍ଦେଶାନୁସାରେ ମୁଁ ଆପଣଙ୍କୁ ସୂଚନା ଦେଉଛି ” ଗତ ସେପ୍ଟେମ୍ବର ୬ ତାରିଖରେ ଶ୍ରୀଗଜପତି ମହାରାଜା ପଶ୍ଚିମବଙ୍ଗରେ ଅବସ୍ଥିତ ମାୟାପୁର ISKCON Governing Body Commissionର ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଜଣାଇଥିଲେ ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି (ପୁରୀ)ର ଚୂଡାନ୍ତ ନିଷ୍ପଭି କ୍ରମେ ବିଶ୍ଵର ବିଭିନ୍ନ ଦେଶରେ ଅବସ୍ଥିତ ISKCON ମନ୍ଦିରମାନେ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତିଥ୍ୟ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବେ।”

ଏ ନେଇ ଗଜପତି ଅକ୍ଟୋବର ୧୯ ଓ ୨୫ ରେ ଇସ୍କନ ଜିବିସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ତେବେ ISKCON ଗଭର୍ଣ୍ଣିଂଙ୍ଗ ଅଧ୍ୟକ୍ଷ ତାଙ୍କ ଗତ ୧୯ ତାରିଖ ପତ୍ର ମାଧ୍ୟମରେ ଶ୍ରୀଗଜପତି ମହାରାଜାଙ୍କୁ ଉତ୍ତର ଦେଇଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ISKCON ଭାରତ ଏବଂ ବିଦେଶର ସମସ୍ତ ମନ୍ଦିରରେ ଶାସ୍ତ୍ରୋକ୍ତ ତିଥ୍‌ (ଜ୍ୟେଷ୍ଠ ପୂର୍ଣ୍ଣିମା) ରେ ସ୍ନାନଯାତ୍ରା ପାଳନ କରିବାକୁ ସମ୍ମତ ହୋଇଛନ୍ତି । ହେଲେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କର ଶାସ୍ତ୍ର ଓ ପାରମ୍ପରିକ ନିର୍ଦ୍ଧାରିତ ତଥ୍ୟ ଅନୁଯାୟୀ ଅର୍ଥାତ୍‌ ଆଷାଢ ଶୁକ୍ଳ ଦ୍ଵିତୀୟା ତିଥ୍ୟ ଠାରୁ ଆରମ୍ଭ ହେଉଥ‌ିବା ନଅଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରାର ପାଳନ କରିବାର ନିଷ୍ପତ୍ତି ସହିତ ସହମତ ହୋଇ ପାରୁନାହାନ୍ତି ବୋଲି ଉତ୍ତର ଦେଇଛନ୍ତି ।

ISKCON GBC ଅଧ୍ୟକ୍ଷଙ୍କ ପତ୍ରର ଉତ୍ତରରେ, ଶ୍ରୀ ଗଜପତି ମହାରାଜା ଆଜି GBC ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖି ସେମାନଙ୍କ ସିଦ୍ଧାନ୍ତର ପୁର୍ନବିଚାର କରିବାକୁ କହିଛନ୍ତି । ପବିତ୍ର ଶାସ୍ତ୍ର ଏବଂ ପୁରାତନ ପାରମ୍ପରିକ ରୀତିର ସମ୍ମାନ ରଖି ସମସ୍ତ ଦେଶର ISKCON ମନ୍ଦିରମାନେ ଆଷାଢ ଶୁକ୍ଳ ଦ୍ଵିତୀୟା ତିଥ୍‌ ଠାରୁ ଆରମ୍ଭ ହେଉଥ‌ିବା ନଅ ଦିନ ମଧ୍ୟରେ ରଥଯାତ୍ରା ପାଳନ କରିବା ନିମନ୍ତେ ପତ୍ରରେ ଉତ୍ତର ଦେଇଛନ୍ତି ।