ଇସ୍କନର ଅଦିନିଆ ରଥଯାତ୍ରା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଗଜପତି ମହାରାଜ ଦିବ୍ୟିସଂଦ ହେବ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସ୍କନଙ୍କୁ ଦେଇଛନ୍ତି କଡ଼ା ଚେତାବନୀ । କହିଲେ, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି । ମାର୍ଚ୍ଚ ପର୍ଯ୍ୟନ୍ତ ଇସ୍କନକୁ ସମୟ ଦେଇଛନ୍ତି ଗଜପତି । ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଛନ୍ତି, ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କରୁଛି । ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ । ଏହି ଅଦିନିଆ ରଥଯାତ୍ରା ବନ୍ଦ ନକଲେ ଆଇନଗତ ବିକଳ୍ପ ନେଇ ବିଚାର କରାଯିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହା ମଧ୍ୟ କହିଛନ୍ତି ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ଉଲ୍ଲଂଘନ । ଇସ୍କନ ଆଗରୁ ପରମ୍ପରା ଉଲ୍ଲଂଘନ କରି ଆସିଛି । ଭାରତ ଓ ଭାରତ ବାହାରେ ଅଦିନିଆ ରଥଯାତ୍ରା କରିଛନ୍ତି । ଇସ୍କନ ବିଶ୍ବବ୍ୟାପୀ ନିୟମ ଉଲ୍ଲଂଘନ କରିଥିବା କହିଲେ ଗଜପତି ମହାରାଜ। ଇସ୍କନ କେତେବେଳେ ବି ଶ୍ରୀମନ୍ଦିର ପ୍ରଶାସନ କଥା ମାନି ନାହିଁ। ଯେତେବେଳେ ଆମ ନଜରକୁ ଆସିଛି ଆମେ ଏହାର ବିରୋଧ କରିଛୁ। ରଥଯାତ୍ରା ପ୍ରଚାର ଯାତ୍ରା ନୁହେଁ। ମହାପ୍ରଭୁଙ୍କ ପରମ୍ପରାରେ ବ୍ୟତିକ୍ରମ ହେବା ଠିକ୍ ନୁହେଁ।
ଆମେରିକା ହ୍ୟୁଷ୍ଟନରେ ନଭେମ୍ବର ୯ରେ ରଥଯାତ୍ରା ପାଇଁ ଚଳାଇଛି ପ୍ରସ୍ତୁତି। ଏନେଇ ଚିଠି ଲେଖିଥିଲେ ଗଜପତି ମହାରାଜ। ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଯାଇଥିଲା, ହେଲେ ଇସ୍କନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ନଭେମ୍ବର ୯ରେ ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ନେଇ ଇସ୍କନ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି । ପୂର୍ବରୁ ନଭେମ୍ବର ୩ରେ ହ୍ୟୁଷ୍ଟନରେ ହେବାକୁ ଥିବା ସ୍ନାନ ଯାତ୍ରାକୁ ଇସ୍କନ କର୍ତ୍ତୃପକ୍ଷ ବାତିଲ କରିଦେଇଥିଲେ । ଆସନ୍ତା ମାର୍ଚ୍ଚରେ ଇସ୍କନର GBC ବୈଠକ ବସିବ। GBC ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହେବା ନେଇ ଆଶା ରଖାଯାଇଛି। ଏହା ପରେ ଯଦି ନିୟମ ଉଲ୍ଲଂଘନ ହୁଏ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ଗଜପତି ମହାରାଜ।