ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ । ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ ସେବା ବନ୍ଦ ଅବଧି ବୃଦ୍ଧି କରାଯାଇପାରେ। ଘଟଣାରେ ୩୪ ଜଣଙ୍କୁ ଗିରଫ କରାଯାଇଛି । ପୌରପାଳିକା ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ବଳବତ୍ତର ରହିଛି । ସହରରେ ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ସହରକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ବ ରାସ୍ତାରେ କର୍ଫ୍ୟୁ ବଳବତ୍ତର ରହିଛି। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି। ସହରର ୬ ପ୍ରବେଶ ପଥ ସିଲ୍ କରାଯାଇଛି । ଜନସାଧାରଣ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ବର୍ତମାନ ସୁଦ୍ଧା ୭ ଟି ମାମଲା ରୁଜୁ ହୋଇଛି ।
ଗତକାଲି କୌଣସି କାରଣରୁ ଭୁଜାଖିଆ ପୀର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା । ପ୍ରଥମେ ମାରପିଟ ସହ ପରେ ପଥର ମାଡ଼ ହୋଇଥିଲା । ଗଣ୍ଡଗୋଳ ସମୟରେ ଗାଡ଼ି ଭଙ୍ଗା ରୁଜା ହୋଇଥିଲା । ଫଳରେ ବାଲେଶ୍ଵର ଓ ଚାନ୍ଦିପୁର ଅଞ୍ଚଳକୁ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଉତ୍ତେଜନା ଶାନ୍ତ କରିବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି ।