ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ଗଞ୍ଜେଇ, ମାମଲାରେ ସମ୍ପୃକ୍ତ ୨ ଫେରାର
ଖୋର୍ଦ୍ଧା: ଖୋର୍ଦ୍ଧା ପିଏନ କଲେଜ ଓଭର ବ୍ରିଜ ନିକଟରୁ ଗଞ୍ଜେଇ ଭର୍ତ୍ତି କାର ଜବତ । ଖୋର୍ଦ୍ଧା ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରିଛନ୍ତି । ଗାଡିଟି ପିଏନ କଲେଜ ନିକଟରେ ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ପରେ ଗାଡ଼ିରେ ଥିବା ଦୁଇ ଜଣ ବ୍ୟକ୍ତି ଫେରାର ହୋଇ ଯାଇଥିବା ବେଳେ ଗାଡି ଭିତରୁ ଡ୍ରାଇଭରଙ୍କ ପ୍ରମାଣ ପତ୍ର ଜବତ ହୋଇଛି ।
ସୂଚନା ଅନୁସାରେ ଆଜି ଭୋରରେ ୧୬ ନମ୍ବର ଜାତୀୟରାଜପଥ ଉପରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଶିଳ୍ପାଞ୍ଚଳ ଥାନା ପୋଲିସ ଖବର ପାଇଥିଲା । ପୋଲିସ୍ ସେଠାରେ ପହଞ୍ଚି କାରଟିକୁ ଯାଞ୍ଚ କରିବା ସମୟରେ ସେଥିରୁ ବିପୁଳ ପରିମାଣରେ ଗଞ୍ଜେଇ ମିଳିଥିଲା । ଏହା ଦେଖି ଅବକାରୀ ବିଭାଗକୁ ଖବର ଦେଇଥିଲା ପୋଲିସ । ପୋଲିସ କାରଟିକୁ ଜବତ କରିଥିବା ବେଳେ ଗଞ୍ଜେଇକୁ ଅବକାରୀ ବିଭାଗକୁ ହସ୍ତାନ୍ତର କରିଛି । ଓଜନ କରିବା ପରେ ଜବତ ଗଞ୍ଜେଇର ପ୍ରକୃତ ମୂଲ୍ୟ ଜଣାପଡ଼ିବ ବୋଲି ଅବକାରୀ ବିଭାଗ କହିଛି ।