ଭଞ୍ଜନଗର: ଦାମୀ ଗାଡ଼ିରେ ଜାଲ୍ ନମ୍ବର ଲଗାଇ ଗଞ୍ଜେଇ ଚାଲାଣ, ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ 

ଭଂଜନଗର(କେନ୍ୟୁଜ୍): ଗାଡ଼ି ଥିଲା ଚକାଚକ୍ । ଜଣାପଡ଼ୁଥିଲା ସତେ ଯେମିତି, କୈାଣସି ବଡ଼ବଡ଼ିଆ ବାବୁ ଯାଉଛନ୍ତି । ହେଲେ ରାସ୍ତାରେ ଛକି ରହିଥିଲା ଅବକାରୀ ବିଭାଗର ଗୁଇନ୍ଦା ଟିମ୍ । ସଂପୃକ୍ତ କାରକୁ ଦେଖିବା ମାତ୍ରେ ଅଟକାଇବାକୁ ଚେଷ୍ଟା କରିଥିଲେ ଅବକାରୀ ଟିମ୍ । କିନ୍ତୁ ଗାଡ଼ି ଛାଡି ଘଟଣା ସ୍ଥଳରୁ ଡିଆଁ ମାରିଲେ ୨ ମାଫିଆ ।

ଗାଡିକୁ ତଲାସି ବେଳେ ବାହାରିଲା ବସ୍ତା ବସ୍ତା ଗଞ୍ଜେଇ । ଖାଲି ସେତିକି ନୁହେଁ କାରର ଆଗ ଓ ପଛରେ ଲାଗିଥିବା ନମ୍ବର ପ୍ଲେଟ୍ ନକଲି ଥିଲା । ଉପରେ ଷ୍ଟିକର ଲଗାଇ ଲେଖା ଯାଇଥିଲା , ଓଆର୍ – ୦୨ ବି କ୍ୟୁ ୭୮୫୮ । ଷ୍ଟିକର ବାହାର କରିବା ପରେ ତଳେ ଲେଖା ହୋଇଥିଲା , ଡବ୍ଳ୍ୟୁ ବି ୦୨ ଏସି – ୫୨୬୨ । ଏମିତି ଭିଆଇପି ଢାଞ୍ଚାରେ ଗଞ୍ଜେଇ ଚାଲାଣକୁ  ଅବକାରୀ ବିଭାଗର ଅତର୍କିତ ଚଢ଼ାଉ  ଓ ଘଟଣା ସ୍ଥଳରୁ ମାଫିଆ ଚମ୍ପଟ ମାରିବା ଏବଂ ବସ୍ତା ବସ୍ତା ଗଞ୍ଜେଇ ଜବତ ଦେଖି ଛାନିଆ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ ।

 ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗୋଛାବାଡି ଗାଁ ନିକଟରେ । ବୁଧବାର ଅପରାହ୍ନରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଗଞ୍ଜେଇ ଚାଲାଣ ହେଉଥିବା ନେଇ , ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପାଖରେ ଖବର ପହଞ୍ଚିଥିଲା । ବ୍ରହ୍ମପୁରରୁ ଟିମ୍ ଆସି ଗୋଛାବାଡି ଗାଁ ନିକଟରେ ଜଗି ରହିଥିଲେ । କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରୁ, ଏକ ସିଟି ହୋଣ୍ଡା କାରରେ ଆସୁଥିଲା ଗଞ୍ଜେଇ । ଅବକାରୀ ଟିମକୁ ଦେଖି ଘଟଣା ସ୍ଥଳରେ ଗାଡ଼ି ରଖି ଡ୍ରାଇଭର ସହ ଜଣେ ମାଫିଆ ଚମ୍ପଟ ମାରିଥିଲେ । କାର୍ ଭିତରୁ ୧୨୦ କିଲୋ ଗଞ୍ଜେଇ ଜବତ ହେବା ସହ ସଂପୃକ୍ତ ଗାଡିକୁ ଜବତ କରି ବ୍ରହ୍ମପୁର କାର୍ଯ୍ୟାଳୟକୁ ନେଇଥିଲେ ଅବକାରୀ ଟିମ୍ । ଏନେଇ ୬୮୧/୨୨ ରେ ଏକ ମାମଲା ରୁଜୁ ହୋଇଛି । ଗାଡ଼ିଟି କଲିକତା ଯାଉଥିବା ବିଭାଗୀୟ କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.