ଛତ୍ରପୁରର ଅନନ୍ୟ ପ୍ରତିଭା ଗୁରୁ ଅଳକା ସାହୁ, ଓଡିଶୀ ନୃତ୍ୟ ଦେଇଛି ସ୍ୱତନ୍ତ୍ର ପରିଚୟ
ଓଡିଶାର ଲୋକପ୍ରିୟ ନୃତ୍ୟ ଓଡିଶୀ । ଖାଲି ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ଏବେ ଏହି ନୃତ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି । ଏହା କେବଳ ନୃତ୍ୟ ନୁହେଁ ଏହା ଏକ ସାଧନା । ଆଉ ଏହି ସାଧନା କରୁଥିବା ନୃତ୍ୟଶିଳ୍ପୀମାନେ ନିଜର ନୃତ୍ୟ ମାଧ୍ୟମରେ ବିଭିନ୍ନ ଅଙ୍ଗ ଭଙ୍ଗୀ ପ୍ରଦର୍ଶନ କରିଥାନ୍ତି । ଦୀର୍ଘ ୪୨ ବର୍ଷ ହେଲା ଏହି ନୃତ୍ୟ ସାଧନା କରି ଚର୍ଚ୍ଚାରେ ଛତ୍ରପୁରର ବିଷିଷ୍ଠ ନୃତ୍ୟଶିଳ୍ପୀ ଶ୍ରୀମତି ଅଳକା ସାହୁ । ପିଲାଟି ବେଳୁ ଅଳକାଙ୍କ ପାଦ ଯୁଗଳ ନାଚିବାକୁ ହେଉଥିଲା ପାଗଳ । ଗୀତଟିଏ କାନରେ ବାଜିଲେ ତାଙ୍କ କୁନି କୁନି ପାଦ କେତେ ଛନ୍ଦକୁ ହାତ ଠାରି ଡାକୁଥିଲା ।
ପିତା ଗଣେଶ୍ୱର ସାହୁ ଓ ମାତା ଗୌରୀ ସାହୁଙ୍କ ଠାରୁ ୧୯୭୩ ମସିହା ଜୁନ୍ ମାସ ୩୦ ତାରିଖରେ ଜନ୍ମ ଗ୍ରହଣ କରି ପିତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୬ ବର୍ଷ ବୟସରୁ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସୁଧାକର ସାହୁଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପରେ ପରେ ବିଭିନ୍ନ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତର ପ୍ରତିଯୋଗିତାରେ ଆଗ୍ରା, କଥକା ଓ ଓଡିଶୀ ନୃତ୍ୟ ମାଧ୍ୟମରେ ଜଗନ୍ନାଥ ଓ ଶିବଙ୍କ ଭଜନରେ ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ ହେବା ସହ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ।
ବର୍ତ୍ତମାନ ସେ ଛତ୍ରପୁର ସହରର ଜଣେ ସୁନାମଧନ୍ୟ ନୃତ୍ୟ ଗୁରୁ ଭାବେ ପରିଚିତ । ସେ ନିଜେ ସହରର ରିକାପଲ୍ଲୀଠାରେ ଜୟ ଗଣେଷ କଳା ବିକାଶ କେନ୍ଦ୍ର ନାମକ ଏକ ନୃତ୍ୟ ଅନୁଷ୍ଠାନ କରି ଅନେକ ନୃତ୍ୟଶିଳ୍ପୀକୁ ଶିକ୍ଷାଦାନ କରୁଛନ୍ତି । ଆଜି ପର୍ଯ୍ୟନ୍ତ ପ୍ରାୟ ୪୦୦ ଜଣ ନୃତ୍ୟଶିଳ୍ପୀ ପ୍ରସ୍ତୁତ କରିଛନ୍ତି ବୋଲି କହିଛନ୍ତି ନୃତ୍ୟଗୁରୁ ଅଳକା ସାହୁ । ଗତ ୨୦୧୩ ମସିହାରେ ମାଲେସିଆରେ ନୃତ୍ୟ ପ୍ରଦର୍ଶନ କରିବା ସହ ୨୦୧୭ରେ ମାଲେସିଆ, ସିଙ୍ଗାପୁର ଓ ଚଳିତ ବର୍ଷ ଇଣ୍ଡୋନେସିଆରେ ନୃତ୍ୟ ପ୍ରଦର୍ଶନ କରି ରାଜ୍ୟ ଓ ଗଞ୍ଜାମ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି ସେ ।
ସେହିପରି ୨୦୧୮ ରେ ଅନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ “ଉର୍ବସୀ” କାର୍ଯ୍ୟକ୍ରମରେ ବେଷ୍ଟ ଗୁରୁ ଆୱାର୍ଡ ପାଇବା ସହିତ ରୋପ୍ୟ ପଦକ ହାସଲ କରିଥିଲେ । ୨୦୧୧ ରେ ଭୁବନେଶ୍ୱରର ରଙ୍ଗମଞ୍ଚରେ ତତ୍କାଳୀନ ଗଭର୍ଣ୍ଣର ଗଣେଷୀ ଲାଲଙ୍କ ଠାରୁ ଗଭର୍ଣ୍ଣର ଆୱାର୍ଡ ମଧ୍ୟ ପାଇଛନ୍ତି । ଧିରେ ଧିରେ ସାର୍ଥକ ଟିଭିର ଦାଦାଗିରି ଭଳି ରିୟଲିଟି ସୋ’ରେ ଭାଗ ନେଇ ବିଜୟୀ ମଧ୍ୟ ହୋଇଛନ୍ତି । ଇ ଟିଭି ର ବୁମ ସାକା ଲାକା ଓ ମୁଁ ମମି ମିସ୍ ସାର ଭଳି ରିୟଲିଟି ସୋ’ରେ ଜଜ ଭାବେ ରହି ନୂଆ କଳାକାର ଚୟନ କରିଛନ୍ତି ।
ଏଥି ସହିତ ଭାରତ ସରକାରଙ୍କ ନେହୁରୁ ଯୁବ କେନ୍ଦ୍ର ଓ ପୂର୍ବାଚଂଳ ସାଂସ୍କୃତିକ କେନ୍ଦ୍ର କଲିକତା, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ଆଦି ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସଂହତି, ଯୁବ ଉତ୍ସବ ଓ ଓଡିଶୀ ନୃତ୍ୟ ଉତ୍ସବ ଇତ୍ୟାଦିରେ ନୃତ୍ୟ ପରିବେଷଣ କରି ସମ୍ମାନୀତ ହୋଇଛନ୍ତି । ଏହା ବ୍ୟତୀତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଉତ୍ସବମାନଙ୍କରେ ନିମନ୍ତ୍ରିତ ଅତିଥି କଳାକାର ରୂପେ ଯୋଗଦେଇ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରି ଅନେକ ପ୍ରଶଂସା ଓ ଗୈାରବର ଅଧିକାରିଣୀ ହୋଇପାରିଛନ୍ତି ନୃତ୍ୟଗୁରୁ ଅଳକା ସାହୁ ।
ସେହିପରି କଟକ ବାଳିଯାତ୍ରା, ଗୋପାଳପୁର ବିଚ୍ ଫେଷ୍ଟିଭାଲ, ଭୁବନେଶ୍ୱର, ମଧ୍ୟପ୍ରଦେଶ, ନୂଆ ଦିଲ୍ଲୀ, ତ୍ରିପୁରା, ଛତିଶଗଡ, ମାଲେସିଆ, କୁଆଲାମପୁର ଆଦି ବିଭିନ୍ନ ସ୍ଥାନରେ ନିଜ ନୃତ୍ୟ ମାଧ୍ୟମରେ ପୁରସ୍କୃତ ହୋଇଛନ୍ତି । ବିଶିଷ୍ଠ ନୃତ୍ୟଶିଳ୍ପୀ ଶ୍ରୀମତି ସାହୁଙ୍କ ଠାରୁ ଶିକ୍ଷା ପ୍ରାପ୍ତ କରି ତାଙ୍କର ବହୁ ଶିଷ୍ୟ ଆଜି ଜର୍ମାନୀ, ଦୁବାଇ ଓ ଚେନ୍ନାଇ ଭଳି ବିଭିନ୍ନ ସ୍ଥାନରେ ଜୟ ଗଣେଷ କଳା ବିକାଶ କେନ୍ଦ୍ର ନାମକ ଅନୁଷ୍ଠାନ କରି ନୂତନ ନୃତ୍ୟଶିଳ୍ପୀ ସୃଷ୍ଟି କରୁଥିବା ମଧ୍ୟ କହିଛନ୍ତି ବିଷିଷ୍ଠ ନୃତ୍ୟଶିଳ୍ପୀ ଶ୍ରୀମତି ସାହୁ ।
ଯୁଗ ପରିବର୍ତ୍ତନ ହେବା ସାଙ୍ଗକୁ ଆଜିକାଲିର ଅଭିଭାବକମାନେ ନିଜ ଛୁଆଙ୍କୁ ନାଚ ଗୀତ ଶିଖାଇବା ପାଇଁ ବେ ଆଗ୍ରହ ପ୍ରକାଶ କରୁଛନ୍ତି । ଏଭଳି ପରିସ୍ଥିତିରେ ଆଜିକାଲି ଅନେକ ନୃତ୍ୟଶିଳ୍ପୀ ନୃତ୍ୟ ଶିକ୍ଷା କରିବାକୁ ଆସୁଛନ୍ତି । ସେ ଛତ୍ରପୁରରେ ଖୋଲିଥିବା ତାଙ୍କ ନିଜ ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ମାସକୁ ୨୦୦ ଟଙ୍କାରେ ନୃତ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି । ଯେଉଁଥିପାଇଁ ନୂଆ ନୃତ୍ୟଶିଳ୍ପୀ ମାନେ ସୁନ୍ଦର ଭାବରେ ଓଡିଶୀ ଶିଖି ପାରୁଛନ୍ତି ।