ଗ୍ୟାସ୍ ଗାଡ଼ି ସହ ବାଇକ୍ ଧକ୍କା: ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍, ଦୁଇ ଗୁରୁତର

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ କଡେଇ ଛକ ନିକଟରେ ଗ୍ୟାସ ଗାଡି ସହ ବାଇକ ଧକ୍କା, ଦୁଇ ଗୁରୁତର। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗ୍ୟାସ ଲିକ। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଗାଡିଟି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ କଡେଇ ଛକ ନିକଟରେ ବାଇକ ସହ ଧକ୍କା ହୋଇଥିଲା। ବାଇକଟି ଗାଡି ତଳେ ପଶିଯିବା ଫଳରେ ଗ୍ୟାସ ଗାଡିର ଟାୟାର ଫାଟି ଯାଇଥିଲା। ଯାହା ଫଳରେ ବାଇକରେ ଥିବା ଦୁଇ ଜଣକୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲରେ ଭର୍ତି କରାଯାଇଛି।

ଦୁର୍ଘଟଣା ପରେ ଗ୍ୟାସ ଗାଡିରୁ ଗ୍ୟାସ ଲିକ ହେବାରେ ଲାଗିଛି। ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ଗ୍ୟାସକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଜାତୀୟ ରାଜପଥରେ ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ହେଉଥିବା ବେଳେ ଅନ୍ୟ ପାର୍ଶ୍ଵରେ ଗାଡି ଚଳାଚଳ ବନ୍ଦ ରହିଛି। ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରୁଛି।