ମାଟି ଖୋଳିଲେ ବାହାରୁଛି ରତ୍ନପଥର, ମାଟି ଖୋଳିବାରେ ଲାଗିପଡିଛନ୍ତି ସମସ୍ତ ଗ୍ରାମବାସୀ

ପିଲା ଠୁ ବୁଢା ଯାଏଁ ସମସ୍ତେ ମାଟି ଖୋଳିବାରେ ଲାଗିପଡିଛନ୍ତି । ହେଲେ ଏମାନେ କାହିଁକି ଏଭଳି ମାଟି ଖୋଳୁଛନ୍ତି । କ’ଣ ମାଟି ଭିତରେ କିଛି ଖୋଜୁଛନ୍ତି କି ଏମାନେ? ଏ ଦୃଶ୍ୟ ଦେଖି ଏଭଳି ଅନେକ ପ୍ରଶ୍ନ ଆମ ମନକୁ ଆସିଲା । ତାପରେ କଥା ବୁଝୁ ବୁଝୁ ଜଣାପଡ଼ିଲା ଏଠି ମାଟି ଖୋଳିଲେ ବାହାରୁଛି ରତ୍ନପଥର । ଆଉ ଏହି ରତ୍ନପଥର ଖୋଳିବାରେ ଲାଗିପଡିଛନ୍ତି ସମସ୍ତ ଗ୍ରାମବାସୀ । କ’ଣ ଦର୍ଶକବନ୍ଧୁ କଥାଟା ଆପଣଙ୍କୁ ମିଛ ଲାଗୁଛି କି? ତେବେ ଏହି ଭିଜୁଆଲ ଉପରେ ଟିକେ ନଜର ପକାନ୍ତୁ ।
କିଭଳି ସମସ୍ତେ ମାଟିରୁ ଗୋଟି ଗୋଟି କରି ଏହି ମୂଲ୍ୟବାନ ରତ୍ନପଥର ନେଇଯାଉଛନ୍ତି । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଥାନା ବାଘିଆପଡା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡା ଗାଁରେ । ରତ୍ନପଥର ମୂଲ୍ୟବାନ ହେବା ସହ ଏହା ବହୁତ ଦୁର୍ଲଭ ମଧ୍ୟ ହୋଇଥାଏ । ସହଜରେ ଏହା କେଉଁଠି ମିଳିନଥାଏ । କୁହାଯାଏ ଭୂମିର ବହୁତ ତଳେ ଏହା ଗଛିତ ହୋଇରହିଛି । ଯାହାକୁ ସହଜରେ ଆଣିବା ସମ୍ଭବ ନୁହେଁ । ସେଇଥିପାଇଁ ତ ଏହି ପଥର ବହୁତ ଦାମୀକିଆ ହୋଇଥାଏ । ହୀରା ସୁନା ଭଳି ଅନେକ ଲୋକ ଏସବୁକୁ ପିନ୍ଧିବାକୁ ଭଲ ପାଆନ୍ତି ।
ସେଥିପାଇଁ ତ କେଜି ପ୍ରତି ୨୫ଶହରୁ ୩ହଜାର ଟଙ୍କା ଦେଇ ଏହି ରତ୍ନପଥର କିଣିନେଉଛନ୍ତି ମାଫିଆ । ତେବେ ମାଟିତଳୁ ବାହାରୁଥିବା ଏହି ଭିନ୍ନ ଧରଣର ପଥର ଗୁଡିକ କେଉଁ ପଥର ତାହା ଯାଞ୍ଚ ହେବା ନିହାତି ଜରୁରୀ । କିନ୍ତୁ ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି । ସୂଚନା ମୁତାବକ, ଖୁଣ୍ଟିଆପଡା ଗାଁରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ମାଟି ଖୋଳି ଆଣି ରାସ୍ତାରେ ପକାଉଥିଲେ । ଆଉ ସେହି ମାଟିରେ ଗାଁ ଲୋକ ଦେଖିବାକୁ ପାଇଥିଲେ ରତ୍ନପଥର ।
ଆଉ ତା ପରେ ପୁରା ଗାଁରେ ଚହଳ ପଡିଯାଇଥିଲା । ତାପରେ ଆରମ୍ଭ ହେଲା ରତ୍ନପଥର ଖୋଜା । ଦେଖୁ ଦେଖୁ ସେହି ସ୍ଥାନରେ ଏକାଠି ହୋଇଗଲେ ଗ୍ରାମବାସୀ । ଆଉ ଉଠାଇ ନେଇଯାଉଛନ୍ତି ରତ୍ନପଥର । ଅନ୍ୟପଟେ ଏହି ଖବର ପଥର ମାଫିଆଙ୍କ କାନରେ ପଡିବାରୁ ସେମାନେ ବାହାରୁ ଆସି କିଲୋ ପ୍ରତି ୨୫ ଶହରୁ ୩ ହଜାର ଟଙ୍କା ଦେଇ ନେଇଯାଉଛନ୍ତି ପଥର । ତେବେ ତିନିଦିନ ହେଲାଣି ଏଠି ଗ୍ରାମବାସୀ ରତ୍ନ ପଥର ଖୋଳିବାରେ ଲାଗିପଡ଼ିଛନ୍ତି ।