ଭୁବନେଶ୍ବର(କେନ୍ଯୁଜ୍) : ହାତର ସାଥି ହେବେ ବୀରମିତ୍ରପୁରର ବିଧାୟକ ଜର୍ଜ ତିର୍କୀ । ଆଜି କଂଗ୍ରେସରେ ସେ ଯୋଗ ଦେବେ । ଏଥିପାଇଁ ସେ ଦିଲ୍ଲୀ ଯାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେବେ । ନିଜ ୧୪ ଜଣ ସମର୍ଥକଙ୍କ ସହ କଂଗ୍ରେସରେ ମିଶିବେ ଜର୍ଜ ତିର୍କୀ । କୁହାଯାଉଛି, ଆସନ୍ତା ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ବିପକ୍ଷରେ କଂଗ୍ରେସର ଆଦିବାସୀ କାର୍ଡ ହେବେ ଜର୍ଜ ତିର୍କୀ । ତାଙ୍କୁ ଲୋକସଭା ପ୍ରାର୍ଥୀ କରିପାରେ କଂଗ୍ରେସ । ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ନେତା ଭାବରେ ବେଶ ଜଣାଶୁଣା ଜର୍ଜ ତିର୍କୀ । ୧୯୯୫ରେ ପ୍ରଥମେ ବୀରମିତ୍ରପୁର ଆସନରୁ ଜେଏମ୍ଏମ୍ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଏହାପରେ ୨୦୦୦ ମସିହାରେ ଲଗାତାର ଦ୍ୱିତୀୟ ଥର ଯାଇଥିଲେ ବିଧାନସଭା । ଏହାପରେ ୨୦୦୨ରେ ବିଜେଡିରେ ଯୋଗ ଦେଇଥିଲେ ଜର୍ଜ ତିର୍କୀ । ୨୦୦୪ରେ ବିଜେଡି ତାଙ୍କୁ ଟିକେଟ ନଦେବାରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ସୁନ୍ଦରଗଡ଼ ଲୋକସଭା ଓ ବୀରମିତ୍ରପୁର ବିଧାନସଭାରୁ ନିର୍ବାଚନ ଲଢ଼ି ହାରିଥିଲେ । ପରେ ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ତୃତୀୟ ଥର ବିଧାନସଭାକୁ ଯାଇଥିଲେ ଜର୍ଜ ତିର୍କୀ । ୨୦୧୪ରେ ସମତାକ୍ରାନ୍ତି ଦଳରୁ ପୁନର୍ବାର ବୀରମିତ୍ରପୁର ଆସନରୁ ବିଜୟୀ ହୋଇଥିଲେ । ଚାରି ଚାରି ଥର ବିଧାୟକ ଥିବା ଜର୍ଜ ତିର୍କୀ ଏବେ କଂଗ୍ରେସ କ୍ୟାମ୍ପରେ ନିଜକୁ ସାମିଲ କରିବାକୁ ଯାଉଛନ୍ତି ।