ଭୁତ ଖାଉଛି ରାସନ ଚାଉଳ, ସୋସିଆଲ ଅଡିଟ ଖୋଲିଦେଲା ଚାଉଳ ଦୁର୍ନୀତିର ଗୁମର

କେନ୍ଦୁଝର: ଭୂତ ଖାଉଛି ଚାଉଳ ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ।ହେଲେ କେନ୍ଦୁଝର ଜିଲ୍ଲା ସଦର ବ୍ଲକରେ ଜଣେ କି ୨ଜଣ ନୁହେଁ ।ବରଂ ୨୬୭ ଜଣ ମୃତ ହିତାଧିକାରୀଙ୍କ ନାଁରେ ଉଠାଯାଇଛି ପିଡ଼ିଏସ ଚାଉଳ I ସୋସିଆଲ ଅଡିଟରୁ ଏଭଳି ଦୁର୍ନୀତି ବିଷୟ ପଦାକୁ ଆସିଛି । ଏ ବିଷୟ ଜଣାପଡିବା ପରେ ଚେତିଛି ଯୋଗାଣ ବିଭାଗ ।ଗତ ୨୦୨୪ ମସିହା ଡିସେମ୍ବର ମାସରୁ ଏଯାଏ ଜିଲ୍ଲାରେ ସମୁଦାୟ ୪୭ ହଜାର ୫ଶହ ମୃତ ହିତାଧିକାରୀଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ।

କେନ୍ଦୁଝରର ଏ ହେଉଛି ଭାଲିଆଡିହି ଗାଁ । ମଙ୍ଗଳି କାର୍ଜିଙ୍କ ନାଁରେ ଥିବା ରାସନ୍ କାର୍ଡ଼ଧାରୀଙ୍କର ୫ଜଣ ସଦସ୍ୟଙ୍କ ମଧ୍ୟରୁ ମଙ୍ଗଳ କାର୍ଜି ଗତ ୨୦୨୨ ଜୁଲାଇ ୩୦ ତାରିଖରେ ପ୍ରାଣ ହରାଇବା ପରେ । ସେବେଠାରୁ ତାଙ୍କ ଭାଗ ୫କେଜି ପିଡ଼ିଏସ ଚାଉଳ ପାଉନାହାନ୍ତି ପରିବାର । ଅନ୍ୟପଟେ, ମୃତ ମଙ୍ଗଳ କାର୍ଜିଙ୍କ ନାଁରେ ଚାଉଳ ଉଠାଯାଇଥିବା ସୋସିଆଲ ଅଡିଟ ରୁ ସ୍ପଷ୍ଟ ହୋଇଛି ।ସେହିପରି ମଗଧନୀ ନାଏକଙ୍କ ନାଁରେ ଥିବା ରାସନ୍ କାର୍ଡ଼ଧାରୀଙ୍କର ୬ଜଣ ସଦସ୍ୟଙ୍କ ମଧ୍ୟରୁ ସବ ନାଏକ ଗତ ୨୦୨୧ ଡିସେମ୍ବର ୧୨ ତାରିଖରେ ପ୍ରାଣ ହରାଇବା ପରେ ସେବେଠାରୁ ତାଙ୍କ ଭାଗ ୫କେଜି ପିଡ଼ିଏସ ଚାଉଳ ପାଉନାହାନ୍ତି ପରିବାର ।

ଅନ୍ୟପଟେ ମୃତ ସବ ନାଏକଙ୍କ ନାଁରେ ଚାଉଳ ଉଠାଯାଇଥିବା ସୋସିଆଲ ଅଡିଟରୁ ସ୍ପଷ୍ଟ ହୋଇଛି । ସେହିପରି, ଡିମ୍ବ ପଂଚାୟତ ଡିବିରି ମୁଣ୍ଡା ଗାଁର ଲୁଦୁରି ମୁଣ୍ଡା ନାଁ ରାସନ କାର୍ଡଧାରୀଙ୍କର ୫ଜଣ ସଦସ୍ୟ ମଧ୍ୟରୁ ଲୁଦୁରି ମୁଣ୍ଡା ଗତ ୨୦୨୨ ନମ୍ଭେମ୍ବର ୧୮ରେ ପ୍ରାଣ ହରାଇଥିଲେ ଓ ତାଙ୍କର ଦୁଇ ଝିଅ ବିବାହ କରିବା ପରେ ତାଙ୍କ ପରିବାରରୁ ତିନି ଜଣ ଚାଉଳ ପାଉ ନଥିବା କହିଛନ୍ତି ଲୁଦୁରି ମୁଣ୍ଡାଙ୍କ ପୁଅ ଯୋଗେଶ୍ୱର ମୁଣ୍ଡା ।

ସେହିଭଳି ମଇଦାନକାଲ ପଞ୍ଚାୟତର କୁନ୍ତଳା ମହାନ୍ତ ରାସନ କାର୍ଡଧାରୀଙ୍କର ୫ଜଣ ସଦସ୍ୟଙ୍କ ମଧ୍ୟରୁ ଗୌରୀ ମହାନ୍ତଙ୍କ ମୃତ୍ୟୁ ଗତ ୨୦୨୧ ଡିସେମ୍ବର ୫ରେ ପ୍ରାଣ ହରାଇବା ପରେ ସେବେଠାରୁ ତାଙ୍କ ଚାଉଳ ପାଉନଥିବା ପରିବାର ବର୍ଗ କହିଥିଲେ । ସେହିଭଳି ମଇଦାନକାଲ ପଞ୍ଚାୟତର ଦେବବନ୍ଧ ଗାଁରେ ଥିବା ଗୁରୁବାରୀ ସର୍ଦ୍ଦାର ରାସନ କାର୍ଡଧାରୀଙ୍କର ୪ଜଣ ସଦସ୍ୟଙ୍କ ମଧ୍ୟରୁ ବୁଧୁନି ସର୍ଦ୍ଦାର ଜୀବିତ ଥିବା ବେଳେ ତାଙ୍କୁ ମୃତ ଦର୍ଶାଇ ତାଙ୍କ ପରିବାରରେ ଥିବା ରାସନ କାର୍ଡ ପରିବାର ଲୋକେ ମୁଣ୍ଡ ପିଛା ୫କେଜି ହିସାବରେ ୨୦ କେଜି ପାଉଥିବା ବେଳେ ରାସନ କାର୍ଡ ରେ ୧୦୫ କେଜି ଚାଉଳ ଉଠାଯାଉଥିବା ନେଇ ସୋସିଆଲ ଅଡିଟରୁ ସ୍ପଷ୍ଟ ହୋଇଛି ।

କେବଳ ଏହି ୨ଟି ଗାଁ ନୁହେଁ, ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ସଦର ବ୍ଲକର ମଇଦାନକେଲ, ପର୍ଜନପୁର, କାଉଁରିକଳା, କଣ୍ଡରାପଶି, ରଘୁନାଥପୁର, ରାଇସୁଆଁ, ବରଦାପାଳ, ଜନାର୍ଦ୍ଦନପୁର, ମହାଦେଇଯୋଡ଼ା, ନୂଆଗାଁ, ବାଉରିପଦା, ପଳାଶପଙ୍ଗା ଆଦି ପଞ୍ଚାୟତରେ ୨୬୭ ଜଣ ମୃତ ହିତାଧିକାରୀଙ୍କ ନାଁରେ ମାସ ମାସ ଧରି ପିଡ଼ିଏସ ଚାଉଳ ଉଠାଯାଉଥିବା ସୋସିଆଲ ଅଡିଟ ରୁ ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ପରିବାର ଏହି ଚାଉଳ ଗ୍ରହଣ କରି ନଥିବା କହୁଥିବା ବେଳେ ଏହି ଦୁର୍ନୀତିରେ କିଏ ସମ୍ପୃକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ବିଷୟ ଜିଲ୍ଲା ଯୋଗାଣ ବିଭାଗ ଅବଗତ ହେବା ପରେ ଏଯାଏ ପାଖାପାଖି ୪୭ ହଜାର ୫ଶହ ମୃତ ହିତାଧିକାରୀଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ।

Also Read:ରାଜଧାନୀର ଏକ ଗେଷ୍ଟ ହାଉସରୁ ନାବାଳିକା ଉଦ୍ଧାର, ରେଜିଷ୍ଟର ଯାଂଚ ସହ କମିଶନରେଟ୍ ପୋଲିସର ପଚରାଉଚରା