ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ କିଡନୀ ଦାନ କରିଦେଲେ ଝିଅ

ଧର୍ମଗଡ (କେନ୍ୟୁଜ) : ଦୁହିତା ଦୁଇ କୁଳକୁ ହିତା। ଏ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଜଣେ ଝିଅ। ଝିଅ ତାର ପରିବାର ପାଇଁ କଣ ଯେ କରିପାରେ ଆଜି ତାହା ସ୍ପଷ୍ଟ ହୋଇଛି। ନିଜ ବାପାଙ୍କ ଜୀବନ ରକ୍ଷା କରିବାକୁ ଯାଇ ନିଜ ଅଙ୍ଗ ଦାନ କରିଦେଇଛି ଝିଅ। ତ୍ୟାଗ ନିଷ୍ଠା ଓ ଭଲ ପାଇବା ଓ ନିଜ କର୍ତ୍ତବ୍ଯ ଆଗରେ ବାପାଙ୍କ ଜୀବନର ରକ୍ଷା କବଚ ସାଜି ନିଜର ଅମୂଲ୍ଯ ଅଙ୍ଗ ଦାନ କରି ବାପାଙ୍କ ପ୍ରତି ଥିବା ଝିଅର କର୍ତ୍ତବ୍ୟକୁ ପାଳନ କରିଛନ୍ତି।

ବାପା ଓ ଝିଅ ମଧ୍ୟରେ ରହିଥିବା ନିବିଡ଼ ସମ୍ପର୍କକୁ ସବୁଦିନ ପାଇଁ ଅମର କରିଦେଇଛି ଝିଅ। ଆଉ ଦୁନିଆକୁ ଦେଖାଇଛି ବାପା ଝିଅ ମଧ୍ୟରେ ଥିବା ଅନାବିଳ ପ୍ରେମର ନିଦର୍ଶନ। କୋକସରା ବ୍ଲକ ଲଡୁଗାଁ ଗ୍ରାମର ସୁନିଲ ଗର୍ଗଙ୍କ ୨୨ ବର୍ଷର ଝିଅ ସଲୋନୀ ଗର୍ଗ ନିଜ ବାପାଙ୍କୁ କିଡନି ଦାନ କରି ନୂଆ ଜୀବନ ଦେଇଛନ୍ତି। ସୁନିଲ ଗତ କିଛି ବର୍ଷ ହେବ କିଡନୀ ଜନିତ ରୋଗରେ ପୀଡିତ ହୋଇଥିଲେ। ତେବେ ଗତ କିଛିମାସ ତଳେ ବାପାଙ୍କର ଉଭୟ କିଡନୀ ଖରାପ ହୋଇଥିବା ନେଇ ଡାକ୍ତର ରିପୋର୍ଟରୁ ଜଣାପଡିଲା। ଯାହାକୁ ଶୁଣିବା ମାନସିକ ସ୍ତରରେ ଏକଦମ୍‌ ଭାଙ୍ଗିପଡିଲେ ସାରା ପରିବାର। ଡାକ୍ତର କହିଲେ ତାଙ୍କ ଜୀବନ ରକ୍ଷା କରିବାକୁ ହେଲେ କିଡନୀ ପ୍ରତ୍ୟାରୋପଣ କରିବାକୁ ହେବ।

ତେବେ କିଏ କିଡନି ଦାନ କରିବ ସେନେଇ ପରିବାର ଚିନ୍ତାରେ ରହିଥିବା ବେଳେ ସୁନିଲଙ୍କ ୨୨ ବର୍ଷର ଝିଅ ସଲୋନୀ ବାପାଙ୍କୁ ନିଜର କିଡନୀ ଦାନ କରିବାକୁ ଆଗକୁ ଆସିଥିଲେ। ହେଲେ ବାପା ଓ ପରିବାର ଉଭୟ ମନା କରିଥିଲେ କିନ୍ତୁ ବାପାଙ୍କୁ କିଡନୀ ଦାନ କରି ତାଙ୍କୁ ଭଲ କରିବାକୁ ଯେମିତି ଝିଅ ସଲୋନୀ ଅଡ଼ି ବସିଲେ। ଝିଅର ଜିଦ ଆଗରେ ଶେଷରେ ପରିବାରକୁ ହଁ କରିବାକୁ ପଡିଥିଲା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଗତ ୮ ତାରିଖ ଦିନ କିଡନି ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହେଲେ ବାପା ସୁନିଲ।

ମେଦାନ୍ତ ହସ୍ପିଟାଲର ଡାକ୍ତରଙ୍କ ଟିମ ସମସ୍ତ ପରୀକ୍ଷା କରିବା ପରେ ସଫଳତାର ସହ କିଡନୀ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛନ୍ତି ଓ ବର୍ତ୍ତମାନ ଅସ୍ତ୍ରୋପଚାର ପରେ ସୁନିଲ ଓ ତାଙ୍କ ଝିଅ ସଲୋନୀ ଉଭୟ ସୁସ୍ଥ ଅଛନ୍ତି। ତେବେ ଝିଅକୁ ଜନ୍ମ ଦେଇ ଆଜି ବାପା ଓ ପରିବାର ଗର୍ବିତ ଅନୁଭବ କରୁଛନ୍ତି। ନିଜ ଆଗାମୀ ଭବିଷ୍ୟତ କଥା ନଭାବି ବାପାଙ୍କୁ ନିଜ ଅଙ୍ଗ ଦାନ କରି ନିଜର ଝିଅ ଜନ୍ମର ପୂଣ୍ୟତା ପାଇଥିବା ଓ ଝିଅର କର୍ତ୍ତବ୍ଯ କରିବା ସହ ଆତ୍ମତୃପ୍ତି ମିଳୁଥିବା କହିଛନ୍ତି ସଲୋନି।

ଏମିତି ଝିଅ ଭାଗ୍ଯରେ ଥିଲେ ମିଳେ ବୋଲି ପରିବାର ଓ ବନ୍ଧୁବାନ୍ଧବ କହିବା ସହ ସଲୋନୀକୁ ପ୍ରଶଂସା କରିଛନ୍ତି। ଏହି ଖବର ଲଡୁଗାଁରେ ପ୍ରଚାରିତ ହେବା ପରେ ସବୁ ମହଲରୁ ସଲୋନୀଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆତ୍ମୀୟ ପରିଜନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ଯେଉଁମାନେ ଝିଅ ଜନ୍ମ ହେଲେ ମନ ଦୁଃଖ କରୁଛନ୍ତି କିମ୍ବା ଜନ୍ମ ହେବା ପୂର୍ବରୁ କନ୍ୟା ଭୃଣକୁ ମାରିଦେଉଛନ୍ତି। ସେମାନେ ନିହାତି ଭାବେ ଏ ଭିଡିଓ ଦେଖିବା ଉଚିତ ଆଉ ବୁଝିବା ଉଚିତ ଯେ ପୁଅ ଝିଅ ମଧ୍ୟରେ କିଛି ବି ପାର୍ଥକ୍ୟ ନାହିଁ। ଗୋଟେ ଝିଅ ବି ସବୁକିଛି କରିପାରେ ନିଜ ବାପା ମାଆଙ୍କ ପାଇଁ। ଆପଣ ଅନେକ ଖବର ପାଇଥିବେ ଯେ ପୁଅ ବୃଦ୍ଧ କାଳେ ବାପା ମାଆଙ୍କୁ ଅଲୋଡା କରିଦେଉଛନ୍ତି, ଘରୁ ତଡି ଦେଉଛନ୍ତି। ତେବେ ଏ ଝିଅର ତ୍ୟାଗ ଦେଖି ଆପଣ କଣ କହିବେ। ଆମେ ତ କହିବୁ ୪ଟା ପୁଅ ଜନ୍ମ କରିବା ଠାରୁ ଭଲ ଗୋଟେ ଝିଅ ଜନ୍ମ କରିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.